ପାଉଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର

12ଦିନ ହୁଅନ୍ତେ ଯିହୁଦୀମାନେ ଦଳବଦ୍ଧ ହୋଇ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ, ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ଶପଥରେ ନିଜ ନିଜକୁ ଆବଦ୍ଧ କଲେ। 13ଏହି ଷଡ଼ଯନ୍ତ୍ର କରିଥିବା ଲୋକମାନେ, ଚାଳିଶ ଜଣରୁ ଅଧିକ ଥିଲେ। 14ସେମାନେ ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ କିଛି ଖାଇବୁ ନାହିଁ ବୋଲି ନିଜ ନିଜକୁ ଦୃଢ଼ ଶପଥରେ ଆବଦ୍ଧ କରିଅଛୁ। 15ଅତଏବ ଆପଣମାନେ ଅଧିକ ସୂକ୍ଷ୍ମ ରୂପେ ତାହାର ବିଚାର କରିବାକୁ ଇଚ୍ଛା କରୁଅଛନ୍ତି ବୋଲି ଛଳନା କରି ତାହାକୁ ଆପଣମାନଙ୍କ ନିକଟକୁ ଆଣିବା ନିମନ୍ତେ ଏବେ ମହାସଭା ସହିତ ସହସ୍ର-ସେନାପତିଙ୍କୁ ନିବେଦନ କରନ୍ତୁ। ସେ ଆପଣମାନଙ୍କ ନିକଟକୁ ଆସିବା ପୂର୍ବେ ଆମ୍ଭେମାନେ ତାହାକୁ ବଧ କରିବାକୁ ପ୍ରସ୍ତୁତ ଅଛୁ। 16କିନ୍ତୁ ପାଉଲଙ୍କ ଭଣଜା ସେମାନଙ୍କର ଛକି ରହିବା କଥା ଶୁଣିଲେ ଏବଂ ଆସି ଗଡ଼ ମଧ୍ୟରେ ପ୍ରବେଶ କରି ପାଉଲଙ୍କୁ ଜଣାଇଲେ। 17ସେଥିରେ ପାଉଲ ଜଣେ ଶତ-ସେନାପତିଙ୍କୁ ଡାକି କହିଲେ, ଏହି ଯୁବାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇ ଯାଆନ୍ତୁ, କାରଣ ତାହାଙ୍କୁ ଜଣାଇବା ନିମନ୍ତେ ଏହାର କିଛି କଥା ଅଛି। 18ତେଣୁ ସେ ତାହାଙ୍କୁ ସହସ୍ର-ସେନାପତିଙ୍କ ନିକଟକୁ ନେଇଯାଇ କହିଲେ, ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକି ଆପଣଙ୍କ ପାଖକୁ ଏହି ଯୁବାକୁ ନେଇ ଆସିବା ପାଇଁ ଅନୁରୋଧ କଲା, ଆପଣଙ୍କୁ କହିବା ନିମନ୍ତେ ଏହାର କିଛି କଥା ଅଛି। 19ସହସ୍ର-ସେନାପତି ତାହାକୁ ହାତ ଧରି ତାହାକୁ ନିର୍ଜନକୁ ନେଇଯାଇ ପଚାରିଲେ, ମୋତେ ଜଣାଇବା ନିମନ୍ତେ ତୁମ୍ଭର କଅଣ ଅଛି? 20ସେ କହିଲା, ପାଉଲଙ୍କ ବିଷୟରେ ଅଧିକ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରିବା ଛଳରେ ଯିହୁଦୀମାନେ ତାହାଙ୍କୁ କାଲି ମହାସଭା ନିକଟକୁ ଆଣିବା ନିମନ୍ତେ ଆପଣଙ୍କୁ ଅନୁରୋଧ କରିବା ପାଇଁ ଏକମତ ହୋଇଅଛନ୍ତି। 21ଏଣୁ ଆପଣ ସେମାନଙ୍କ କଥାରେ ସମ୍ମତ ହେବେ ନାହିଁ, କାରଣ ତାହାଙ୍କୁ ବଧ ନ କରିବା ଯାଏ ଅନ୍ନଜଳ ସ୍ପର୍ଶ କଲେ ଅଭିଶପ୍ତ ହେବେ ବୋଲି ନିଜ ନିଜକୁ ଶପଥରେ ଆବଦ୍ଧ କରି ଚାଳିଶ ଜଣରୁ ଅଧିକ ଲୋକ ତାହାଙ୍କୁ ଛକି ରହିଅଛନ୍ତି, ଆଉ ଏବେ ସେମାନେ ଆପଣଙ୍କଠାରୁ ଅନୁମତି ପାଇବା ନିମନ୍ତେ ଅପେକ୍ଷା କରି ପ୍ରସ୍ତୁତ ହୋଇ ରହିଅଛନ୍ତି। 22ସେଥିରେ ସହସ୍ର-ସେନାପତି ସେହି ଯୁବାକୁ ବିଦାୟ ଦେଇ ତାହାକୁ ଆଦେଶ କଲେ, ତୁମ୍ଭେ ଯେ ଏହି ସମସ୍ତ କଥା ମୋତେ ଜଣାଇଅଛ, ତାହା କାହାକୁ କହିବ ନାହିଁ।