ମହାମହିମ ଫେଲୀକ୍ସ୍ଙ୍କ ସାମନାରେ ପାଉଲ
1ପାଞ୍ଚ ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କ ସାଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ। 2ତାହାଙ୍କୁ ଡକାଯାଆନ୍ତେ ତର୍ତ୍ତୁଲ୍ଲ ତାହାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲୀକ୍ସ୍, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହା ଶାନ୍ତି ଭୋଗ କରୁଅଛୁ, ପୁଣି, ଆପଣଙ୍କର ଦୂରଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି, 3ଏହା ଆମ୍ଭେମାନେ ସର୍ବତୋଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ। 4କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତ ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟା ଗୁଣରେ ଆମ୍ଭମାନଙ୍କ କେତୋଟି କଥା ଶୁଣିବା ପାଇଁ ମୁଁ ଆପଣଙ୍କୁ ନିବେଦନ କରୁଅଛି। 5କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ; 6ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ଆଉ ଆପଣମାନଙ୍କ ବ୍ୟବସ୍ଥା ଅନୁସାରେ ଏହାର ବିଚାର କରିବାକୁ ଇଚ୍ଛା କରିଥିଲୁ। 7କିନ୍ତୁ ସହସ୍ର-ସେନାପତି ଲୂସୀୟା ଆସି ଅତିଶୟ ଜୋର୍ରେ ଏହାକୁ ଆମ୍ଭମାନଙ୍କ ହାତରୁ ଛଡ଼ାଇନେଲେ, 8ଆଉ ଏହାର ଅଭିଯୋଗକାରୀମାନଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦେଲେ। ଏହି ଯେ ସମସ୍ତ ବିଷୟରେ ଆମ୍ଭେମାନେ ଏହା ବିରୁଦ୍ଧରେ ଅଭିଯୋଗ କରୁଅଛୁ, ଆପଣ ନିଜେ ଏହାକୁ ପଚାରିଲେ ସେହିସବୁ ଅବଗତ ହୋଇପାରିବେ। 9ଅନ୍ୟ ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହି ସମସ୍ତ କଥା ସତ୍ୟ ବୋଲି କହିଲେ।


