ଫେଲୀକ୍ସ୍‌ଙ୍କ ସମ୍ମୁଖରେ ପାଉଲଙ୍କ ଆତ୍ମସମର୍ଥନ

10ସେଥିରେ ଶାସନକର୍ତ୍ତା କଥା କହିବା ନିମନ୍ତେ ପାଉଲଙ୍କୁ ସଙ୍କେତ କରନ୍ତେ ସେ ଉତ୍ତର ଦେଲେ, ଆପଣ ଅନେକ ବର୍ଷ ହେଲା ଏହି ଜାତିର ବିଚାରକର୍ତ୍ତା ଅଟନ୍ତି ବୋଲି ଜାଣିବାରୁ ମୁଁ ସାହସରେ ମୋହର ପକ୍ଷ ସମର୍ଥନ କରୁଅଛି। 11ବାର ଦିନରୁ ଅଧିକ ହେବ ନାହିଁ ମୁଁ ଉପାସନା କରିବା ନିମନ୍ତେ ଯିରୂଶାଲମ ସହରକୁ ଯାଇଥିଲି, ଏହା ଆପଣ ଜାଣି ପାରନ୍ତି 12ଆଉ ଏମାନେ ମନ୍ଦିରରେ କି ସମାଜଗୃହରେ କି ନଗରରେ ମୋତେ କାହାରି ସହିତ ବିବାଦ କରିବାର କିମ୍ବା ଜନତାକୁ ମତାଇବାର ଦେଖି ନାହାନ୍ତି, 13ପୁଣି, ଏବେ ଏମାନେ ମୋ ବିରୁଦ୍ଧରେ ଯେଉଁ ସମସ୍ତ ବିଷୟ ନେଇ ଅଭିଯୋଗ କରୁଅଛନ୍ତି, ସେହିସବୁ ଆପଣଙ୍କ ନିକଟରେ ପ୍ରମାଣ କରିପାରନ୍ତି ନାହିଁ। 14କିନ୍ତୁ ଏମାନେ ଯାହାକୁ ଗୋଟିଏ ବିଧର୍ମଦଳ ବୋଲି କହନ୍ତି, ମୁଁ ସେହି ମାର୍ଗ ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବରଙ୍କର ଉପାସନା କରିଥାଏ; ଯାହା ଯାହା ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ଓ ଯାହା ଯାହା ଭାବବାଦୀମାନଙ୍କ ପୁସ୍ତକରେ ଲିଖିତ ଅଛି, ସେହିସବୁ ମୁଁ ବିଶ୍ୱାସ କରେ; 15ପୁଣି, ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ବୋଲି ଯାହା ଏମାନେ ନିଜେ ଅପେକ୍ଷା କରନ୍ତି, ମୁଁ ମଧ୍ୟ ଈଶ୍ବରଙ୍କଠାରେ ସେହି ପ୍ରକାର ଭରସା ରଖିଅଛି ବୋଲି ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି। 16ଏହେତୁରୁ ମୁଁ ମଧ୍ୟ ନିଜେ ସର୍ବଦା ଈଶ୍ବରଙ୍କ ଓ ମନୁଷ୍ୟର ପ୍ରତି ନିର୍ଦ୍ଦୋଷ ବିବେକ ରକ୍ଷା କରିବାକୁ ଯତ୍ନ କରୁଥାଏ। 17ଅନେକ ବର୍ଷ ପରେ ମୁଁ ମୋହର ଜାତି ନିକଟକୁ ଦାନ କରିବା ନିମନ୍ତେ ଓ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ଆସିଥିଲି। 18ସେହି ସମୟରେ ଏମାନେ ମୋତେ ମନ୍ଦିରରେ ଶୁଚି ହୋଇଥିବାର ଦେଖିଲେ; ମୁଁ କୌଣସି ଜନତା କିମ୍ବା ଗଣ୍ଡଗୋଳରେ ମିଶି ନ ଥିଲି, କିନ୍ତୁ ଏସିଆ ପ୍ରଦେଶର କେତେକ ଯିହୁଦୀ ଲୋକମାନେ ଥିଲେ; 19ଯଦି ସେମାନଙ୍କର ମୋ, ବିରୁଦ୍ଧରେ କୌଣସି କଥା ଥାଆନ୍ତା, ତାହାହେଲେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଅଭିଯୋଗ କରିବା ସେମାନଙ୍କର ଉଚିତ୍ ହୋଇଥାଆନ୍ତା। 20ନତୁବା ମୃତମାନଙ୍କ ପୁନରୁତ୍ଥାନ ସମ୍ବନ୍ଧରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ବିଚାରିତ ହେଉଅଛି ବୋଲି ମୁଁ ସେମାନଙ୍କ ମଧ୍ୟରେ ଠିଆ ହୋଇ ଉଚ୍ଚସ୍ୱରରେ ଏହି ଯେଉଁ କଥା କହିଥିଲି, 21କେବଳ ସେହି ଗୋଟିଏ କଥା ଛଡ଼ା ମୁଁ ମହାସଭା ସମ୍ମୁଖରେ ଠିଆ ହେବା ସମୟରେ ଏମାନେ ମୋହର କି ଦୋଷ ପାଇଅଛନ୍ତି ତାହା ଏମାନେ ନିଜେ କହନ୍ତୁ।