ବନ୍ଦୀ ଅବସ୍ଥାରେ ପାଉଲ

22କିନ୍ତୁ ଫେଲୀକ୍ସ୍‌ ସେହି ମାର୍ଗ ବିଷୟରେ ଅଳ୍ପ ଜାଣିଥିବାରୁ ବିଚାର ସ୍ଥଗିତ ରଖି କହିଲେ ଯେ ସହସ୍ର-ସେନାପତି ଲୂସୀୟା ଆସିଲା ପରେ ଆମ୍ଭେ ତୁମ୍ଭମାନଙ୍କ ବିଷୟ ନିର୍ଣ୍ଣୟ କରିବା। 23ପୁଣି, ସେ ଶତ-ସେନାପତିଙ୍କୁ ତାଙ୍କର କୌଣସି ଆତ୍ମୀୟ ସ୍ୱଜନଙ୍କୁ ତାହାଙ୍କର ସେବା କରିବା ପାଇଁ ବାରଣ ନ କରିବାକୁ, ପୁଣି, ତାହାଙ୍କୁ ବନ୍ଦୀ ରୂପେ ରକ୍ଷା କରି ତାହାଙ୍କ ପ୍ରତି କୋମଳ ବ୍ୟବହାର କରିବାକୁ ଆଦେଶ ଦେଲେ। 24କେତେକ ଦିନ ପରେ ଫେଲୀକ୍ସ୍‌ ଦ୍ରୂସିଲ୍ଲା ନାମ୍ନୀ ଆପଣା ଯିହୁଦୀୟା ଭାର୍ଯ୍ୟାଙ୍କ ସହିତ ଆସି ପାଉଲଙ୍କୁ ଡକାଇ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ବିଷୟ ତାଙ୍କଠାରୁ ଶୁଣିଲେ। 25କିନ୍ତୁ ସେ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ କଥା କହିବା ସମୟରେ ଫେଲୀକ୍ସ୍‌ ଭୟର ସହିତ ଉତ୍ତର ଦେଲେ, ବର୍ତ୍ତମାନ ତୁମ୍ଭେ ଯାଅ, ସୁବିଧା ସମୟ ପାଇଲେ ଆମ୍ଭେ ତୁମ୍ଭକୁ ଡକାଇବା। 26ଆହୁରି ମଧ୍ୟ ପାଉଲ ତାହାଙ୍କୁ ଲାଞ୍ଚ ଦେବେ ବୋଲି ସେ ଆଶା କରୁଥିଲେ, ସେଥିପାଇଁ ଥରକୁ ଥର ତାହାଙ୍କୁ ଡକାଇ ତାହାଙ୍କ ସହିତ କଥାବାର୍ତ୍ତା କରୁଥିଲେ। 27କିନ୍ତୁ ଦୁଇ ବର୍ଷ ପୂର୍ଣ୍ଣ ହେଲା ଉତ୍ତାରେ ପର୍କୀୟ ଫେଷ୍ଟସ୍ ଫେଲୀକ୍ସ୍‌ଙ୍କ ପଦରେ ନିଯୁକ୍ତ ହେଲେ, ଆଉ ଫେଲୀକ୍ସ୍ ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା କରି ପାଉଲଙ୍କୁ ବନ୍ଦୀ ଅବସ୍ଥାରେ ରଖି ଚାଲିଗଲେ।