ଯିହୁଦୀ ମହା ସମାଜରେ ପିତର ଓ ଯୋହନ

1ପିତର ଏବଂ ଯୋହନ ଲୋକମାନଙ୍କ ନିକଟରେ କଥା କହୁଥିବା ସମୟରେ ଯାଜକମାନେ, ମନ୍ଦିର ସେନାପତି ଓ ସାଦ୍ଦୂକୀମାନେ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ; 2ସେମାନେ ବିରକ୍ତ ହୋଇଥିଲେ, କାରଣ ପ୍ରେରିତମାନେ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ଯୀଶୁଙ୍କ କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ବିଷୟ ପ୍ରଚାର କରୁଥିଲେ। 3ପୁଣି, ସେମାନେ ଶିଷ୍ୟମାନଙ୍କୁ ଧରି ପରଦିନ ପର୍ଯ୍ୟନ୍ତ କାରାଗାରରେ ରଖିଲେ, କାରଣ ସେତେବେଳେ ସନ୍ଧ୍ୟା ହୋଇଥିଲା। 4ତଥାପି ବାକ୍ୟ ଶୁଣିବା ଲୋକମାନଙ୍କ ମଧ୍ୟରୁ ଅନେକେ ବିଶ୍ୱାସ କଲେ, ଆଉ ପୁରୁଷମାନଙ୍କର ସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେଲା। 5ପରଦିନ ଲୋକମାନଙ୍କର ଅଧ୍ୟକ୍ଷ, ପ୍ରାଚୀନ ଓ ଶାସ୍ତ୍ରୀମାନେ ଯିରୂଶାଲମ ସହରରେ ଏକତ୍ରିତ ହେଲେ; 6ସେଠାରେ ମହାଯାଜକ ହାନାନ, କୟାଫା, ଯୋହନ, ଆଲେକ୍‌ଜାଣ୍ଡର, ପୁଣି, ମହାଯାଜକୀୟ ବଂଶର ସମସ୍ତ ଲୋକ ଉପସ୍ଥିତ ଥିଲେ। 7ସେମାନେ ପ୍ରେରିତମାନଙ୍କୁ ମଧ୍ୟ ସ୍ଥାନରେ ଠିଆ କରାଇ ପଚାରିବାକୁ ଲାଗିଲେ, କି ଶକ୍ତିରେ ବା କେଉଁ ନାମରେ ତୁମ୍ଭେମାନେ ଏହା କରିଅଛ? 8ସେଥିରେ ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ କହିଲେ, ହେ ଲୋକମାନଙ୍କର ଅଧ୍ୟକ୍ଷ ଓ ପ୍ରାଚୀନମାନେ, 9ଆଜି ଯଦି ଜଣେ ରୋଗୀ ପ୍ରତି କରାଯାଇଥିବା ଉତ୍ତମ କାର୍ଯ୍ୟ ବିଷୟରେ ଆମ୍ଭମାନଙ୍କୁ ପଚରାଯାଏ ଯେ, ଏହି ଲୋକ କି ଉପାୟରେ ସୁସ୍ଥ ହୋଇଅଛି? 10ତାହାହେଲେ ଆପଣମାନେ ସମସ୍ତେ ଓ ସମସ୍ତ ଇସ୍ରାଏଲ ଲୋକ ଜ୍ଞାତ ହେଉନ୍ତୁ ଯେ, ଯେଉଁ ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣମାନେ କ୍ରୁଶରେ ବଧ କରିଅଛନ୍ତି, ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ତାହାଙ୍କ ନାମରେ, ହଁ, ତାହାଙ୍କ ଦ୍ୱାରା ଏହି ଲୋକଟି ସୁସ୍ଥ ହୋଇ ଆପଣମାନଙ୍କ ସାକ୍ଷାତରେ ଠିଆ ହୋଇଅଛି।

11“‘ଗୃହ ନିର୍ମାଣକାରୀ ଯେ ଆପଣମାନେ, ଆପଣମାନଙ୍କ ଦ୍ୱାରା ଯେଉଁ ପ୍ରସ୍ତର ଅଗ୍ରାହ୍ୟ ହୋଇଥିଲା,

ଯାହା କୋଣର ପ୍ରଧାନ ପ୍ରସ୍ତର ହେଲା, ସେ ସେହି ପ୍ରସ୍ତର।’

12ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ।” 13ସେମାନେ ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଆଶ୍ଚର୍ଯ୍ୟ ହେଲେ, ପୁଣି, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନଙ୍କୁ ଚିହ୍ନିଲେ, 14ଆଉ ସେହି ସୁସ୍ଥ ହୋଇଥିବା ଲୋକଟି ସେମାନଙ୍କ ସାଙ୍ଗରେ ଠିଆ ହୋଇଥିବାର ଦେଖି, ସେମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ। 15ପରେ ସେମାନଙ୍କୁ ସଭାରୁ ବାହାରିଯିବାକୁ ଆଜ୍ଞା ଦେଇ ସେମାନେ ପରସ୍ପର ମଧ୍ୟରେ ପରାମର୍ଶ କରି କହିବାକୁ ଲାଗିଲେ ଏହି ଲୋକମାନଙ୍କ ପ୍ରତି କଅଣ କରିବା? 16କାରଣ ଏମାନଙ୍କ ଦ୍ୱାରା ଯେ, ଗୋଟିଏ ମହା ଆଶ୍ଚର୍ଯ୍ୟକର୍ମ ସାଧିତ ହୋଇଅଛି ଏହା ଯିରୂଶାଲମ ସହରନିବାସୀ ସମସ୍ତଙ୍କ ନିକଟରେ ପ୍ରକାଶିତ ହୋଇଅଛି, ଆଉ ଆମ୍ଭେମାନେ ତାହା ଅସ୍ୱୀକାର କରି ନ ପାରୁ; 17କିନ୍ତୁ ଏ କଥାଟା ଯେପରି ଲୋକମାନଙ୍କ ମଧ୍ୟରେ ଆହୁରି ଅଧିକ ବ୍ୟାପି ନ ଯାଏ, ଏଥିପାଇଁ ଏହି ନାମରେ କୌଣସି ଲୋକକୁ ଆଉ କିଛି ନ କହିବାକୁ ସେମାନଙ୍କୁ ଭୟ ଦେଖାଇବା। 18ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ ବା ଶିକ୍ଷା ନ ଦେବାକୁ ଦୃଢ଼ରୂପେ ସେମାନଙ୍କୁ ଅାଜ୍ଞା ଦେଲେ। 19କିନ୍ତୁ ପିତର ଓ ଯୋହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ବରଙ୍କ କଥା ଶୁଣିବା ଅପେକ୍ଷା ଆପଣମାନଙ୍କ କଥା ଶୁଣିବା ଈଶ୍ବରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣମାନେ ବିଚାର କରନ୍ତୁ 20କାରଣ ଆମ୍ଭେମାନେ ଯାହା ଯାହା ଦେଖିଅଛୁ ଓ ଶୁଣିଅଛୁ, ସେହିସବୁ ନ କହି ରହି ନ ପାରୁ। 21ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, 22କାରଣ ଯେଉଁ ଲୋକଠାରେ ସେହି ସୁସ୍ଥତାର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।