ପାଉଲଙ୍କ ପରିବର୍ତ୍ତନର ସାକ୍ଷ୍ୟ

(ପ୍ରେରିତ 9:1-19; 26:6-16)

12ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଦେଶପତ୍ର ଘେନି ଦମ୍ମେଶକକୁ ଯାଉଥିବା ସମୟରେ, 13ହେ ରାଜନ, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ ମୋହର ଓ ମୋʼ ସହଯାତ୍ରୀମାନଙ୍କ ଚତୁଃଦିଗରେ ପ୍ରକାଶମାନ ହେବାର ଦେଖିଲି। 14ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋ ପ୍ରତି ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର।” 15ସେଥିରେ ମୁଁ କହିଲି, ପ୍ରଭୁ, ଆପଣ କିଏ? ତେଣୁ ପ୍ରଭୁ କହିଲେ “ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି। 16କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହି ସମସ୍ତ ବିଷୟର ସାକ୍ଷୀସ୍ୱରୂପେ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ। 17ସ୍ୱଜାତି ଓ ଅଣଯିହୁଦୀମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ବରଙ୍କ ପ୍ରତି ଫେରନ୍ତି, ପୁଣି, ପାପ କ୍ଷମା ଓ ଆମ୍ଭଠାରେ ବିଶ୍ୱାସ ଦ୍ୱାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି, 18ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ମୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ।”