ରୋମ ଅଭିମୁଖେ ପାଉଲଙ୍କ ଜଳଯାତ୍ରା

1ଯେତେବେଳେ ଆମ୍ଭମାନଙ୍କର ଜାହାଜରେ ଚଢ଼ି ଇତାଲିଆକୁ ଯିବା ନିମନ୍ତେ ସ୍ଥିର ହୋଇଥିଲା, ସେତେବେଳେ ପାଉଲ ଓ ଅନ୍ୟ କେତେକ ବନ୍ଦୀ ଆଗସ୍ତିୟ ରାଜକୀୟ ସୈନ୍ୟଦଳର ଯୂଲିଅସ୍ ନାମକ ଜଣେ ଶତ-ସେନାପତିଙ୍କ ହସ୍ତରେ ସମର୍ପିତ ହେଲେ। 2ସେଥିରେ ଏସିଆ ପ୍ରଦେଶର ଉପକୂଳରେ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଉଦ୍ୟତ ଗୋଟିଏ ଆଦ୍ରାମୁତ୍ତୀୟ ଜାହାଜରେ ଆମ୍ଭେମାନେ ଚଢ଼ି ଜାହାଜ ଫିଟାଇଦେଲୁ; ଆଉ ଥେସଲନୀକୀ ସହରରେ ମାକିଦନିଆ ନଗରରୁ ଆରିସ୍ତାର୍ଖ ନାମକ ଜଣେ ବ୍ୟକ୍ତି ଆମ୍ଭମାନଙ୍କ ସାଙ୍ଗରେ ଥିଲେ। 3ପରଦିନ ଆମ୍ଭେମାନେ ସୀଦୋନରେ ପହଞ୍ଚିଲୁ, ଆଉ ଯୂଲିଅସ୍ ପାଉଲଙ୍କ ପ୍ରତି ସଦୟ ବ୍ୟବହାର କରି ଆପଣା ମିତ୍ରମାନଙ୍କ ପାଖକୁ ଯାଇ ସେବା ପାଇବା ନିମନ୍ତେ ଅନୁମତି ଦେଲେ। 4ସେହି ସ୍ଥାନରୁ ଜାହାଜ ଫିଟାଇ ପ୍ରତିକୂଳ ପବନ ହେତୁ ଆମ୍ଭେମାନେ ସାଇପ୍ରସ୍ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କରି, 5କିଲିକିୟା ଓ ପଂଫୂଲିଆ ଅଞ୍ଚଳ ସମ୍ମୁଖସ୍ଥ ସମୁଦ୍ର ପାର ହୋଇ ଲୁକିଆ ପ୍ରଦେଶର ମୁରା ସହରକୁ ଆସିଲୁ। 6ସେଠାରେ ଶତ-ସେନାପତି ଇତାଲିଆକୁ ଯାଉଥିବା ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜ ପାଇ ସେଥିରେ ଆମ୍ଭମାନଙ୍କୁ ଚଢ଼ାଇଦେଲେ। 7ପରେ ଅନେକ ଦିନ ପର୍ଯ୍ୟନ୍ତ ଧିରେ ଧିରେ ଯାଇ କଷ୍ଟରେ କ୍ନିଦ ସହରର ସମ୍ମୁଖରେ ଉପସ୍ଥିତ ହୋଇ ପବନ ଆମ୍ଭମାନଙ୍କୁ ଆଗକୁ ଯିବାକୁ ଛାଡ଼ି ନ ଦେବାରୁ ସାଲ୍ମୋନୀର ବିପରୀତ, କ୍ରୀତୀ ଦ୍ୱୀପର ଆଶ୍ରୟସ୍ଥଳୀ ଦେଇ ଯାତ୍ରା କଲୁ, 8ପୁଣି, କଷ୍ଟରେ କୂଳେ କୂଳେ ଯାଇ “ସୁନ୍ଦର ବନ୍ଦର” ନାମକ ଗୋଟିଏ ସ୍ଥାନକୁ ଆସିଲୁ; ଲାସାୟା ସହର ସେଥିର ନିକଟବର୍ତ୍ତୀ। 9ଏହି ପ୍ରକାରେ ଅନେକ ସମୟ ଅତିବାହିତ ହେଲା, ପୁଣି, ଜଳଯାତ୍ରା ବର୍ତ୍ତମାନ ବିପଦଜନକ ହୋଇ ପଡ଼ିଲା, କାରଣ ସେତେବେଳେ ଉପବାସ ପର୍ବ ସମାପ୍ତ ହୋଇଥିଲା। ଏଣୁ ପାଉଲ ସେମାନଙ୍କୁ ସତର୍କ କରାଇ କହିଲେ, 10ମହାଶୟମାନେ ଏହି ଜଳଯାତ୍ରା ଯେ କେବଳ ମାଲ ଓ ଜାହାଜର ଅନିଷ୍ଟ ହେବ, ତାହା ନୁହେଁ, ମାତ୍ର ଆମ୍ଭମାନଙ୍କ ପ୍ରାଣର ମଧ୍ୟ ଯେ ଅନିଷ୍ଟ ଓ କ୍ଷତିକାରକ ହେବ, ଏହା ମୁଁ ଜାଣୁଅଛି। 11କିନ୍ତୁ ଶତ-ସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ। 12ଆଉ ସେହି ବନ୍ଦରଟି ଶୀତକାଳ କଟାଇବା ନିମନ୍ତେ ସୁବିଧାଜନକ ନ ଥିବାରୁ କୌଣସି ପ୍ରକାରେ ଫୈନିକ୍ସ୍ ସହରରେ ପହଞ୍ଚି ସେଠାରେ ଶୀତକାଳ କଟାଇବା ନିମନ୍ତେ ସେଠାରୁ ଜାହାଜ ଛାଡ଼ିଦେବାକୁ ଅଧିକାଂଶ ଲୋକ ପରାମର୍ଶ ଦେଲେ; ସେହି ଫୈନିକ୍ସ୍ କ୍ରୀତୀର ଗୋଟିଏ ବନ୍ଦର, ତାହା ଉତ୍ତରପୂର୍ବ ଓ ଦକ୍ଷିଣ-ପୂର୍ବ ଅଭିମୁଖୀ।