ସମୁଦ୍ରରେ ଝଡ଼

13ପରେ ଦକ୍ଷିଣା ପବନ ଧୀରେ ଧୀରେ ବହିବାରୁ ସେମାନେ ନିଜ ନିଜର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମନେ କରି ଲଙ୍ଗର ତୋଳି କ୍ରୀତୀର କୂଳର ଅତି ନିକଟ ଦେଇ ଯିବାକୁ ଲାଗିଲେ। 14କିନ୍ତୁ ଅଳ୍ପ ସମୟ ଉତ୍ତାରେ, ଯାହାକୁ ଇଉରକ୍ୱିଲୋ ବୋଲି କହନ୍ତି, ସେହି ପ୍ରଚଣ୍ଡ ପବନ କୂଳରୁ ବହି ଆଘାତ କରିବାକୁ ଲାଗିଲା। 15ଜାହାଜଟି ତୋଫାନରେ ପଡ଼ି ପବନର ସମ୍ମୁଖୀନ ହୋଇ ନ ପାରିବାରୁ ଆମ୍ଭେମାନେ ତାହାକୁ ଭାସିଯିବାକୁ ଛାଡ଼ିଦେଲୁ। 16ପୁଣି, କାଉଦ ନାମକ ଗୋଟିଏ କ୍ଷୁଦ୍ର ଦ୍ୱୀପର ଆଶ୍ରୟସ୍ଥଳୀରେ ଯାଇ କଷ୍ଟରେ ଜାହାଜର ନୌକାଖଣ୍ଡିକ ଧରି ରକ୍ଷା କରିବାକୁ ସକ୍ଷମ ହେଲୁ, 17ଆଉ ସେମାନେ ତାହାକୁ ଉଠାଇନେଲା ଉତ୍ତାରେ ନାନା ଉପାୟରେ ଜାହାଜକୁ ତଳୁ ଘେରିଦେଇ ବାନ୍ଧିଲେ, ପୁଣି, କାଳେ ସେମାନେ ସୁର୍ତ୍ତି ନାମକ ଚଡ଼ାରେ ଲାଗିଯିବେ, ଏହି ଭୟରେ ପାଲସବୁ ପକାଇଦେଇ ଭାସିବାକୁ ଲାଗିଲେ। 18ତୋଫାନରେ ଆମ୍ଭମାନଙ୍କର ଅତିଶୟ କଷ୍ଟ ହେବାରୁ ତହିଁ ଆରଦିନ ନାବିକମାନେ ମାଲ ଫୋପାଡ଼ିବାକୁ ଲାଗିଲେ, 19ପୁଣି, ତୃତୀୟ ଦିନରେ ନିଜ ହାତରେ ଜାହାଜର ସରଞ୍ଜାମସବୁ ଫୋପାଡ଼ିଦେଲେ। 20ଅନେକ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କି ନକ୍ଷତ୍ର ଦେଖା ନ ଯିବାରୁ, ପୁଣି, ଭୀଷଣ ଝଡ଼ ଲାଗିରହିବାରୁ ଶେଷରେ ଆମ୍ଭମାନଙ୍କ ରକ୍ଷା ପାଇବାର ସମସ୍ତ ଆଶା ଦୂର ହେଲା। 21ଆଉ, ସମସ୍ତେ ଅନେକ ଦିନ ପର୍ଯ୍ୟନ୍ତ ଅନାହାରରେ ରହିଲା ପରେ ପାଉଲ ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ, ମହାଶୟମାନେ, ମୋହର କଥା ମାନି କ୍ରୀତୀରୁ ଜାହାଜ ନ ଫିଟାଇବା, ପୁଣି, ଏହି ଅନିଷ୍ଟ ଓ କ୍ଷତି ନିବାରଣ କରିବା ଆପଣମାନଙ୍କର ଉଚିତ୍ ଥିଲା। 22ଯାହା ହେଉ, ଏବେ ମୁଁ ଆପଣମାନଙ୍କୁ କହୁଅଛି, ସାହସ ଧରନ୍ତୁ, କାରଣ ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣନାଶ ହେବ ନାହିଁ, କେବଳ ଜାହାଜ ନଷ୍ଟ ହେବ। 23ଯେଣୁ ମୁଁ ଯେଉଁ ଈଶ୍ବରଙ୍କର ଲୋକ, ପୁଣି, ଯାହାଙ୍କର ମଧ୍ୟ ମୁଁ ସେବା କରେ, ତାହାଙ୍କର ଜଣେ ଦୂତ ଏହି ରାତ୍ରିରେ ମୋ ପାଖରେ ଠିଆ ହୋଇ କହିଲେ, 24ପାଉଲ, ଭୟ କର ନାହିଁ; କାଇସରଙ୍କର ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀ ସମସ୍ତଙ୍କୁ ଈଶ୍ବର ତୁମ୍ଭକୁ ଦାନ କରିଅଛନ୍ତି। 25ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ବରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ। 26କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ। 27ଏହି ରୂପେ ଆମ୍ଭେମାନେ ଆଦ୍ରିଆ ସମୁଦ୍ରରେ ଇତଃସ୍ତତଃ ଚାଳିତ ହେଉ ହେଉ ଯେତେବେଳେ ଚତୁର୍ଦ୍ଦଶ ରାତ୍ରି ଉପସ୍ଥିତ ହେଲା, ସେତେବେଳେ ପ୍ରାୟ ଅର୍ଦ୍ଧରାତ୍ରି ସମୟରେ ନାବିକମାନେ କୌଣସି ସ୍ଥଳର ନିକଟବର୍ତ୍ତୀ ହେଉଛନ୍ତି ବୋଲି ଅନୁମାନ କଲେ। 28ଏଣୁ ସେମାନେ ମାପ କରି ଶହେ କୋଡ଼ିଏ ଫୁଟ ଗଭୀରର ପାଣି ପାଇଲେ ପୁଣି ଟିକିଏ ଆଗକୁ ଯାଇ ଆଉ ଥରେ ମାପ କରି ନବେ ଫୁଟ ଗଭୀରର ପାଣି ପାଇଲେ। 29କାଳେ ଆମ୍ଭେମାନେ କୌଣସି ପଥୁରିଆ ଭୂମିରେ ଯାଇ ପଡ଼ୁ, ଏହି ଭୟରେ ସେମାନେ ଚାରିଟା ଲଙ୍ଗର ପକାଇଦେଇ ଦିନ ଅପେକ୍ଷାରେ ରହିଲେ। 30ପୁଣି, ନାବିକମାନେ ଜାହାଜର ସମ୍ମୁଖଭାଗରୁ ଲଙ୍ଗର ପକାଇବା ଛଳରେ ନୌକାଖଣ୍ଡିକ ସମୁଦ୍ରକୁ ଓହ୍ଲାଇ ଦେଇ ଜାହାଜରୁ ପଳାଇଯିବା ନିମନ୍ତେ ଚେଷ୍ଟା କରନ୍ତେ, 31ପାଉଲ ଶତ-ସେନାପତି ଓ ସୈନ୍ୟମାନଙ୍କୁ କହିଲେ, ଏମାନେ ଜାହାଜରେ ନ ରହିଲେ ଆପଣମାନେ ରକ୍ଷା ପାଇ ପାରିବେ ନାହିଁ। 32ସେଥିରେ ସୈନ୍ୟମାନେ ନୌକାର ଦଉଡିସବୁ କାଟିଦେଇ ତାହାକୁ ଜଳରେ ପକାଇଦେଲେ। 33ଆଉ, ଦିନ ହୋଇ ଆସୁଥିବା ପର୍ଯ୍ୟନ୍ତ ପାଉଲ ସେମାନଙ୍କୁ କିଛି ଭୋଜନ କରିବା ନିମନ୍ତେ ଉତ୍ସାହ ଦେଇ କହିଲେ, ଆଜିକି ଚଉଦ ଦିନ ହେଲା ଆପଣମାନେ ଅପେକ୍ଷାରେ ଥାଇ କିଛି ଭୋଜନ ନ କରି ଅନାହାରରେ ରହିଅଛନ୍ତି। 34ଏଣୁ କିଛି ଭୋଜନ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ପରାମର୍ଶ ଦେଉଅଛି, କାରଣ ତାହା ଅାପଣମାନଙ୍କ ରକ୍ଷା ନିମନ୍ତେ ପ୍ରୟୋଜନ; ଯେଣୁ ଆପଣମାନଙ୍କର କାହାରି ମସ୍ତକର ଗୋଟିଏ କେଶ ନଷ୍ଟ ହେବ ନାହିଁ। 35ସେ ଏହିସବୁ କଥା କହି ରୁଟି ଘେନି ସମସ୍ତଙ୍କ ସାକ୍ଷାତରେ ଈଶ୍ବରଙ୍କୁ ଧନ୍ୟବାଦ ଦେଇ ତାହା ଭାଙ୍ଗି ଭୋଜନ କରିବାକୁ ଲାଗିଲେ। 36ସେଥିରେ ସେମାନେ ସମସ୍ତେ ସାହସ ପ୍ରାପ୍ତ ହୋଇ ନିଜେ ନିଜେ ମଧ୍ୟ ଭୋଜନ କଲେ। 37ଆମ୍ଭେମାନେ ଜାହାଜରେ ସର୍ବସୁଧା ଦୁଇ ଶହ ଛଅସ୍ତରୀ ଜଣ ପ୍ରାଣୀ ଥିଲୁ। 38ସେମାନେ ଯଥେଷ୍ଟ ଭୋଜନ କଲା ପରେ ସମୁଦ୍ରରେ ଗହମ ପକାଇଦେଇ ଜାହାଜକୁ ହାଲୁକା କରିବାକୁ ଲାଗିଲେ,