ଜାହାଜ ଦୁର୍ଘଟଣା
39ଦିନ ହୁଅନ୍ତେ, ସେ ସ୍ଥଳ ସେମାନେ ଚିହ୍ନି ପାରିଲେ ନାହିଁ, ମାତ୍ର ସେମାନେ ବାଲିକୂଳ ଥିବା ଗୋଟିଏ ଖାଲ ଦେଖି କୌଣସି ପ୍ରକାରେ ସେଠାରେ ଜାହାଜ ଲଗାଇବା ନିମନ୍ତେ ପରାମର୍ଶ କଲେ। 40ଏଣୁ ସେମାନେ ଲଙ୍ଗରସବୁ କାଟି ସେଗୁଡ଼ିକ ସମୁଦ୍ରରେ ଛାଡ଼ିଦେଲେ, ଆଉ ସାଙ୍ଗେ ସାଙ୍ଗେ ମଙ୍ଗର ଦଉଡିସବୁ ଫିଟାଇ ପବନ ଆଡ଼କୁ ଆଗ ପାଲ ଉଠାଇ କୂଳ ଆଡ଼କୁ ଯିବାକୁ ଚେଷ୍ଟା କଲେ। 41କିନ୍ତୁ ସେମାନେ ଦୁଇ ସମୁଦ୍ର ମିଶିଥିବା ସ୍ଥାନରେ ଯାଇ ପଡ଼ନ୍ତେ, ଜାହାଜଟି ଚଡ଼ାରେ ଲାଗିଗଲା; ତାହାର ସମ୍ମୁଖଭାଗ ଲାଖିଯାଇ ଅଚଳ ହୋଇ ରହିଲା, କିନ୍ତୁ ପଛ ଭାଗ ତରଙ୍ଗର ପ୍ରଚଣ୍ଡତାରେ ଭାଙ୍ଗି ଯିବାକୁ ଲାଗିଲା। 42ସେତେବେଳେ କାଳେ ବନ୍ଦୀମାନଙ୍କ ମଧ୍ୟରୁ କେହି ପହଁରି ପଳାଇଯାଏ, ଏଥିପାଇଁ ସେମାନଙ୍କୁ ବଧ କରିବା ନିମନ୍ତେ ସୈନ୍ୟମାନେ ପରାମର୍ଶ କଲେ, 43କିନ୍ତୁ ଶତ-ସେନାପତି ପାଉଲଙ୍କୁ ରକ୍ଷା କରିବା ଇଚ୍ଛାରେ ସେମାନଙ୍କ ସଙ୍କଳ୍ପରୁ ସେମାନଙ୍କୁ କ୍ଷାନ୍ତ କରି ଆଜ୍ଞା ଦେଲେ ଯେ, ଯେଉଁମାନେ ପହଁରି ଜାଣନ୍ତି, ସେମାନେ ସମୁଦ୍ରରେ ଡେଇଁପଡ଼ି ପ୍ରଥମେ ସ୍ଥଳକୁ ଯାଆନ୍ତୁ, 44ପୁଣି, ଅବଶିଷ୍ଟମାନଙ୍କ ମଧ୍ୟରୁ କେହି କେହି ତକ୍ତା ଓ ଆଉ କେହି କେହି ଜାହାଜର ଅନ୍ୟାନ୍ୟ ଭଙ୍ଗା ଖଣ୍ଡ ଧରି ଯାଉନ୍ତୁ। ଏହି ପ୍ରକାରେ ସମସ୍ତେ ନିରାପଦରେ ସ୍ଥଳରେ ପହଞ୍ଚିଲେ।


