ମେଲିତୀ ଦ୍ୱୀପରେ ପାଉଲ

1ଆମ୍ଭେମାନେ ରକ୍ଷା ପାଇଲା ପରେ ସେହି ଦ୍ୱୀପ ମେଲିତୀ ବୋଲି ଜାଣିଲୁ। 2ଆଉ, ବର୍ବରମାନେ ଆମ୍ଭମାନଙ୍କ ପ୍ରତି ଅସାଧାରଣ ଦୟା ଦେଖାଇଲେ, କାରଣ ବୃଷ୍ଟି ଓ ଶୀତ ହେଉଥିବାରୁ ସେମାନେ ଅଗ୍ନି ଜାଳି ଆମ୍ଭ ସମସ୍ତଙ୍କୁ ଅଭ୍ୟର୍ଥନା କଲେ। 3କିନ୍ତୁ ପାଉଲ ବିଡ଼ାଏ କାଠ ଗୋଟାଇ ନିଆଁ ଉପରେ ପକାନ୍ତେ, ତାତି ହେତୁ ଗୋଟାଏ କାଳସର୍ପ ବାହାରି ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା। 4ବର୍ବରମାନେ ତାହାଙ୍କ ହାତରେ ସେହି ଜନ୍ତୁଟା ଝୁଲିଥିବାର ଦେଖି ପରସ୍ପର କହିବାକୁ ଲାଗିଲେ, ଏ ଲୋକଟା ନିଶ୍ଚୟ ଖୁଣୀ, ସମୁଦ୍ରରୁ ରକ୍ଷା ପାଇଲେ ସୁଦ୍ଧା ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ। 5କିନ୍ତୁ ପାଉଲ ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ, ଆଉ ତାଙ୍କର କିଛି କ୍ଷତି ହେଲା ନାହିଁ। 6ସେ ଯେ ଫୁଲିଯିବେ କିମ୍ବା ହଠାତ୍‍ ମରି ପଡ଼ିଯିବେ, ଏହା ସେମାନେ ଅପେକ୍ଷା କରୁଥିଲେ; ମାତ୍ର ଅନେକ ବେଳ ପର୍ଯ୍ୟନ୍ତ ଅପେକ୍ଷାରେ ରହିଲା ପରେ ତାହାଙ୍କ ପ୍ରତି କୌଣସି ଅନିଷ୍ଟ ନ ଘଟିବାର ଦେଖି ସେମାନେ ନିଜ ନିଜ ମନ ବଳାଇ କହିଲେ, ଏ ଜଣେ ଦେବତା। 7ସେହି ସ୍ଥାନ ନିକଟରେ ପୁବ୍ଲିୟ ନାମକ ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତିଙ୍କ ଗୃହ ଓ ଭୂମି ଥିଲା; ସେ ଆମ୍ଭମାନଙ୍କୁ ଗ୍ରହଣ କରି ତିନି ଦିନ ପର୍ଯ୍ୟନ୍ତ ସାଦରେ ଆମ୍ଭମାନଙ୍କର ଆତିଥ୍ୟସତ୍କାର କଲେ। 8ସେହି ସମୟରେ ପୁବ୍ଲିୟଙ୍କର ପିତା ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ, ଆଉ ପାଉଲ ଭିତରକୁ ତାହାଙ୍କ ନିକଟକୁ ଯାଇ ପ୍ରାର୍ଥନା କଲେ ଓ ତାହାଙ୍କ ଉପରେ ହାତ ଥୋଇ ତାହାଙ୍କୁ ସୁସ୍ଥ କଲେ। 9ଏହି ଘଟଣା ପରେ ସେହି ଦ୍ୱୀପରେ ଥିବା ଅବଶିଷ୍ଟ ପୀଡ଼ିତମାନେ ମଧ୍ୟ ଆସି ସୁସ୍ଥ ହେଲେ; 10ସେମାନେ ମଧ୍ୟ ଆମ୍ଭମାନଙ୍କୁ ବହୁତ ସମ୍ମାନ ଦ୍ୱାରା ସମାଦର କଲେ, ପୁଣି, ଆମ୍ଭମାନଙ୍କର ପ୍ରସ୍ଥାନ କରିବା ସମୟରେ ଆମ୍ଭମାନଙ୍କ ପ୍ରୟୋଜନୀୟ ପଦାର୍ଥସବୁ ଯୋଗାଇଦେଲେ।