ରୋମ ନଗରୀରେ ପାଉଲ

11ତିନି ମାସ ପରେ ଆମ୍ଭେମାନେ ଗୋଟିଏ ଆଲେକ୍‍ଜାଣ୍ଡ୍ରୀୟ ଜାହାଜରେ ଚଢ଼ି ଯାତ୍ରା କଲୁ, ସେହି ଜାହାଜ ଏହି ଦ୍ୱୀପରେ ଶୀତକାଳ କଟାଇଥିଲା, ତାହାର ଚିହ୍ନ ମିଥୁନ। 12ସୁରାକୂସାରେ ପହଞ୍ଚି ଆମ୍ଭେମାନେ ସେଠାରେ ତିନି ଦିନ ରହିଲୁ, 13ପୁଣି, ସେ ସ୍ଥାନରୁ ବୁଲି ରେଗୀୟ ବନ୍ଦରରେ ପହଞ୍ଚିଲୁ ଦିନକ ପରେ ଦକ୍ଷିଣା ପବନ ବହିବାରୁ ଦ୍ୱିତୀୟ ଦିନରେ ପୁତେଅଲି ସହରକୁ ଆସିଲୁ; 14ସେ ସ୍ଥାନରେ ଆମ୍ଭେମାନେ ଭାଇମାନଙ୍କୁ ଭେଟିଲୁ, ଆଉ ସେମାନଙ୍କ ସହିତ ସାତ ଦିନ ରହିବା ପାଇଁ ସେମାନେ ଆମ୍ଭମାନଙ୍କୁ ଅନୁରୋଧ କଲେ; ଏହି ପ୍ରକାରେ ଆମ୍ଭେମାନେ ରୋମରେ ପହଞ୍ଚିଲୁ। 15ଭାଇମାନେ ଆମ୍ଭମାନଙ୍କ ସମ୍ବାଦ ପାଇ ସେହି ସ୍ଥାନରୁ ଆପ୍ପୀୟଙ୍କ ହାଟ ଓ ତିନି ସରେଇଘର ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଭେଟିବା ପାଇଁ ଆସିଲେ, ପୁଣି, ପାଉଲ ସେମାନଙ୍କୁ ଦେଖି ଈଶ୍ବରଙ୍କ ଧନ୍ୟବାଦ କରି ସାହସ ପାଇଲେ। 16ଆଉ ଆମ୍ଭେମାନେ ରୋମରେ ପ୍ରବେଶ କରନ୍ତେ, ପାଉଲଙ୍କୁ ନିଜ ପ୍ରହରୀ ସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା।