ରୋମରେ ପାଉଲ

17ତିନି ଦିନ ପରେ ସେ ଯିହୁଦୀମାନଙ୍କ ପ୍ରଧାନ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଏକତ୍ର କଲେ, ଆଉ ସେମାନେ ଏକତ୍ର ହୁଅନ୍ତେ ସେ ସେମାନଙ୍କୁ କହିଲେ, ହେ ଭାଇମାନେ, ଯଦ୍ୟପି ମୁଁ ସ୍ୱଜାତି ବିରୁଦ୍ଧରେ କିମ୍ବା ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ରୀତିନୀତି ବିରୁଦ୍ଧରେ କିଛି କରି ନ ଥିଲି, ତଥାପି ଯିରୂଶାଲମ ସହରରୁ ବନ୍ଦୀରୂପେ ରୋମୀୟମାନଙ୍କ ହସ୍ତରେ ସମର୍ପିତ ହେଲି। 18ସେମାନେ ମୋହର ବିଚାର କରି ମୋʼଠାରେ ପ୍ରାଣଦଣ୍ଡର କୌଣସି କାରଣ ନ ଥିବାରୁ ମୋତେ ମୁକ୍ତି ଦେବାକୁ ଇଚ୍ଛା କରୁଥିଲେ; 19କିନ୍ତୁ ଯିହୁଦୀମାନେ ସେଥିର ବିରୁଦ୍ଧରେ କହିବାରୁ ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିବାକୁ ବାଧ୍ୟ ହେଲି; ମୋହର ଯେ ସ୍ୱଜାତି ବିରୁଦ୍ଧରେ ଅଭିଯୋଗ କରିବାର କିଛି ଥିଲା, ତାହା ନୁହେଁ। 20ଅତଏବ ଏହି କାରଣରୁ ମୁଁ ଆପଣମାନଙ୍କୁ ମୋ ସହିତ ସାକ୍ଷାତ ଓ କଥାବାର୍ତ୍ତା କରିବାକୁ ଅନୁରୋଧ କଲି, କାରଣ ଇସ୍ରାଏଲର ଭରସା ଯୋଗୁଁ ମୁଁ ଏହି ଜଞ୍ଜିରରେ ବନ୍ଧାଯାଇଅଛି। 21ସେଥିରେ ସେମାନେ ତାହାଙ୍କୁ କହିଲେ, ଆପଣଙ୍କ ସମ୍ବନ୍ଧରେ ଯିହୂଦିୟା ପ୍ରଦେଶରୁ ଆମ୍ଭେମାନେ କୌଣସି ପତ୍ର ପାଇ ନାହୁଁ, କି ଭାଇମାନଙ୍କ ମଧ୍ୟରୁ କେହି ଏଠାକୁ ଆସି ଆପଣଙ୍କ ବିଷୟରେ କୌଣସି ମନ୍ଦ ସମ୍ବାଦ ଦେଇ ନାହାନ୍ତି ବା କହି ନାହାନ୍ତି। 22କିନ୍ତୁ ଆପଣଙ୍କ ଭାବ କଅଣ, ତାହା ଆମ୍ଭେମାନେ ଆପଣଙ୍କଠାରୁ ଶୁଣିବାକୁ ଇଚ୍ଛା କରୁଅଛୁ; କାରଣ ଏହି ଦଳ ସମ୍ବନ୍ଧରେ ଆମ୍ଭେ ଜାଣୁ ଯେ, ସର୍ବତ୍ର ତାହା ବିରୁଦ୍ଧରେ କଥା କୁହାଯାଉଅଛି। 23ଏଥିରେ ସେମାନେ ତାହାଙ୍କ ସହିତ ଗୋଟିଏ ଦିନ ନିରୂପଣ କରି ବହୁସଂଖ୍ୟାରେ ତାହାଙ୍କ ବସାକୁ ଆସିଲେ, ଆଉ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ନିକଟରେ ବ୍ୟାଖ୍ୟା କରି ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ପୁଣି, ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀଙ୍କ ଶାସ୍ତ୍ର ନେଇ ଯୀଶୁଙ୍କ ସମ୍ବନ୍ଧରେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 24ସେଥିରେ କେହି କେହି କୁହାଯାଇଥିବା ବିଷୟରେ ବିଶ୍ୱାସ କଲେ, କିନ୍ତୁ କେହି କେହି ବିଶ୍ୱାସ କଲେ ନାହିଁ। 25ପୁଣି, ସେମାନେ ନିଜ ନିଜ ମଧ୍ୟରେ ଏକମତ ନ ହେବାରୁ ବିଦାୟ ନେଲେ; ସେମାନଙ୍କ ଯିବା ପୂର୍ବେ ପାଉଲ ଏହି ଗୋଟିଏ କଥା କହିଲେ, ଆପଣମାନଙ୍କ ପିତୃପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ଦ୍ୱାରା ପବିତ୍ର ଆତ୍ମା ଯଥାର୍ଥ ରୂପେ କହିଥିଲେ,

26“ଏହି ଲୋକମାନଙ୍କ ପାଖକୁ ଯାଇ କୁହ,

‘ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ,

ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;

27କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା,

ସେମାନେ କାନରେ କଷ୍ଟରେ ଶୁଣିଲେ ଓ ନିଜ ନିଜ ଆଖି ବୁଜିଲେ,

ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ,

ପୁଣି, ଫେରି ଆସିବେ ନାହିଁ,

ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’”

28ଅତଏବ ଈଶ୍ବରଙ୍କ ଏହି ପରିତ୍ରାଣ ଅଣଯିହୁଦୀମାନଙ୍କ ନିକଟକୁ ଯେ ପ୍ରେରିତ ହୋଇଅଛି, ଆପଣମାନେ ଏହା ଜ୍ଞାତ ହୁଅନ୍ତୁ; ସେମାନେ ମଧ୍ୟ ଶ୍ରବଣ କରିବେ। 29[ଆଉ ସେ ଏହିସବୁ କଥା କହନ୍ତେ ଯିହୁଦୀମାନେ ନିଜ ନିଜ ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ।] 30ସେ ସମ୍ପୂର୍ଣ୍ଣ ଦୁଇ ବର୍ଷ ପର୍ଯ୍ୟନ୍ତ ଆପଣା ଭଡ଼ାଘରେ ରହିଲେ, 31ପୁଣି, ଯେତେ ଲୋକ ତାହାଙ୍କ ନିକଟକୁ ଆସୁଥିଲେ, ସମସ୍ତଙ୍କୁ ସେ ଗ୍ରହଣ କରି ପୂର୍ଣ୍ଣ ସାହସରେ ଓ ନିର୍ବିଘ୍ନରେ ଈଶ୍ବରଙ୍କ ରାଜ୍ୟର କଥା ପ୍ରଚାର କରୁଥିଲେ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟସବୁ ଶିକ୍ଷା ଦେଉଥିଲେ।