ଦାନିୟେଲଙ୍କ ଦ୍ୱିତୀୟ ସ୍ୱପ୍ନର ଅର୍ଥ ପ୍ରକାଶ
19ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍ଟଶତ୍ସର, ସେହି ସ୍ୱପ୍ନ ଅବା ତହିଁର ଅର୍ଥ ତୁମ୍ଭଙ୍କୁ ବ୍ୟାକୁଳିତ ନ କରୁ।” ବେଲ୍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ପ୍ରଭୁ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି, ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତହିଁର ଅର୍ଥ ଘଟୁ। 20ଆପଣ ଯେଉଁ ବୃକ୍ଷ ଦେଖିଲେ, ଯାହା ବଢ଼ି ବଳବାନ ହେଲା, ଯହିଁର ଉଚ୍ଚତା ଗଗନସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା; 21ଯାହାର ପତ୍ରସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା; ଯହିଁର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିଁର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା; 22ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି, ଆପଣ ବୃଦ୍ଧି ପାଇ ବଳବାନ ହୋଇଅଛନ୍ତି; କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି। 23ପୁଣି, ଆପଣ ଯେ ଦେଖିଲେ, ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର; ତଥାପି ଭୂମିରେ ତହିଁର ମୂଳ-ଗଣ୍ଡିକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ; ଆଉ, ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ। 24ହେ ମହାରାଜ, ଏହାର ଅର୍ଥ ଏହି, ଆଉ ମୋର ପ୍ରଭୁ ମହାରାଜାଙ୍କ ବିଷୟରେ ସର୍ବୋପରିସ୍ଥଙ୍କର ନିରୂପଣ ଏହି। 25ଆପଣ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବେ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ଆପଣଙ୍କର ବସତି ହେବ, ବଳଦର ନ୍ୟାୟ ଆପଣଙ୍କୁ ତୃଣଭୋଜୀ କରାଯିବ, ଆଉ ଆପଣ ଆକାଶର କାକରରେ ତିନ୍ତିବ, ଏହିରୂପେ ଆପଣଙ୍କ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହା ଦେବାକୁ ଇଚ୍ଛା କରିବେ, ତାହାକୁ ସେ ତାହା ଦିଅନ୍ତି, ଏହା ଆପଣ ଜାଣିବେ। 26ଆହୁରି, ବୃକ୍ଷର ମୂଳ-ଗଣ୍ଡି ଛାଡ଼ିବା ପାଇଁ ଆଜ୍ଞା ଦିଆ ଯିବାର ଅର୍ଥ ଏହି; ସ୍ୱର୍ଗ ହିଁ କର୍ତ୍ତୃତ୍ୱ କରଇ, ଏହା ଆପଣ ଜାଣିଲା ଉତ୍ତାରେ ଆପଣଙ୍କ ରାଜ୍ୟ ଆପଣଙ୍କ ପ୍ରତି ନିଶ୍ଚିତ ହେବ। 27ଏହେତୁ ହେ ମହାରାଜ, ମୋର ପରାମର୍ଶ ଆପଣଙ୍କ ନିକଟରେ ଗ୍ରାହ୍ୟ ହେଉ, ଆଉ ଆପଣ ଧାର୍ମିକତା ଦ୍ୱାରା ଆପଣା ପାପସକଳ ଓ ଦରିଦ୍ରମାନଙ୍କ ପ୍ରତି ଦୟା ଦେଖାଇବା ଦ୍ୱାରା ଆପଣା ଅଧର୍ମସକଳ ଦୂର କରନ୍ତୁ; ତାହାହେଲେ ହୋଇପାରେ, ଆପଣଙ୍କ ଶାନ୍ତିର କାଳ ବୃଦ୍ଧି ପାଇବ।”


