ନବୂଖଦ୍‍ନିତ୍ସର ପ୍ରତି ବିଚାର

28ରାଜା ନବୂଖଦ୍‍ନିତ୍ସର ପ୍ରତି ଏହିସବୁ ଘଟିଲା। 29ବାର ମାସର ଶେଷରେ ସେ ବାବିଲର ରାଜପ୍ରାସାଦରେ ବୁଲୁଥିଲା। 30“ରାଜା ଏହି କଥା କହିଲା, ମୁଁ ଆପଣା ବଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏହି କି ସେହି ମହତୀ ବାବିଲ ନୁହେଁ?” 31ରାଜାର ମୁଖରେ ଏହି କଥା ଥାଉ ଥାଉ ଏହି ସ୍ୱର୍ଗୀୟ ବାଣୀ ହେଲା, “ହେ ରାଜନ୍‍ ନବୂଖଦ୍‍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା। 32ପୁଣି, ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସଙ୍ଗରେ ତୁମ୍ଭର ବସତି ହେବ; ବଳଦ ନ୍ୟାୟ ତୁମ୍ଭକୁ ତୃଣଭୋଜୀ କରାଯିବ, ଏହିରୂପେ ତୁମ୍ଭ ଉପରେ ସାତ କାଳ ବହିଯିବ; ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।” 33ସେହି ଦଣ୍ଡରେ ନବୂଖଦ୍‍ନିତ୍ସର ପ୍ରତି ସେହି କଥା ସଫଳ ହେଲା; ଆଉ, ସେ ମନୁଷ୍ୟମାନଙ୍କ ମଧ୍ୟରୁ ଦୂରୀକୃତ ହୋଇ ବଳଦ ନ୍ୟାୟ ତୃଣ ଭୋଜନ କଲା, ଆଉ ତାହାର ଶରୀର ଆକାଶର କାକରରେ ତିନ୍ତିଲା, ଶେଷରେ ତାହାର କେଶ ଉତ୍କ୍ରୋଶ ପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।