ନବୂଖଦ୍‍ନିତ୍ସରଙ୍କ ପରମେଶ୍ୱର ବନ୍ଦନା

34ଏଥିଉତ୍ତାରେ ସେହି ସମୟର ଶେଷରେ ମୁଁ ନବୂଖଦ୍‍ନିତ୍ସର ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି, ତହିଁରେ ମୋର ବୁଦ୍ଧି ମୋʼ କତିକି ଫେରି ଆସିଲା, ତହୁଁ ମୁଁ ସର୍ବୋପରିସ୍ଥଙ୍କର ଧନ୍ୟବାଦ କଲି ଓ ଯେ ଅନନ୍ତଜୀବୀ, ତାହାଙ୍କର ପ୍ରଶଂସା ଓ ସମାଦର କଲି; କାରଣ ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାହାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ। 35ପୁଣି, ପୃଥିବୀନିବାସୀ ସମସ୍ତେ ଅବସ୍ତୁ ତୁଲ୍ୟ ଗଣିତ; ଆଉ ସେ ସ୍ୱର୍ଗୀୟ ସୈନ୍ୟଗଣ ମଧ୍ୟରେ ଓ ପୃଥିବୀର ନିବାସୀଗଣର ମଧ୍ୟରେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରନ୍ତି; ଆଉ, କେହି ତାହାଙ୍କର ହସ୍ତ ସ୍ଥଗିତ କରି ନ ପାରେ ଓ “ତୁମ୍ଭେ କʼଣ କରୁଅଛ” ଏହା ତାହାଙ୍କୁ କହି ନ ପାରେ।

36ସେହି ସମୟରେ ମୋʼ ବୁଦ୍ଧି ମୋʼ କତିକି ଫେରି ଆସିଲା ଓ ମୋʼ ରାଜ୍ୟର ଗୌରବ ନିମନ୍ତେ ମୋର ପ୍ରତାପ ଓ ତେଜ ମୋʼ କତିକି ଫେରି ଆସିଲା; ତହିଁରେ ମୋର ମନ୍ତ୍ରୀ ଓ ଅମାତ୍ୟଗଣ ମୋର ଅନ୍ୱେଷଣ କଲେ; ପୁଣି, ମୁଁ ଆପଣା ରାଜ୍ୟରେ ସ୍ଥାପିତ ହେଲି ଓ ମୋର ମହିମା ଅତିଶୟ ବୃଦ୍ଧି ପାଇଲା। 37ଏଣୁ ମୁଁ ନବୂଖଦ୍‍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି; କାରଣ ତାହାଙ୍କର ସକଳ କ୍ରିୟା ସତ୍ୟ ଓ ତାହାଙ୍କର ପଥସକଳ ନ୍ୟାଯ୍ୟ; ପୁଣି, ଯେଉଁମାନେ ଗର୍ବାଚରଣ କରନ୍ତି, ସେମାନଙ୍କୁ ନତ କରିବାକୁ ତାହାଙ୍କର କ୍ଷମତା ଅଛି।