ବେଲ୍ଶତ୍ସର ନିମନ୍ତେ କାନ୍ଥରେ ଲେଖା
1ରାଜା ବେଲ୍ଶତ୍ସର ଆପଣାର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହାଭୋଜ ପ୍ରସ୍ତୁତ କଲା ଓ ସେହି ସହସ୍ରଙ୍କ ସାକ୍ଷାତରେ ଦ୍ରାକ୍ଷାରସ ପାନ କଲା।
2ପୁଣି, ତାହାର ପିତା ନବୂଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ଯେଉଁ ସକଳ ସୁନା ଓ ରୂପାର ପାତ୍ର ଅପହରଣ କରିଥିଲା, ତହିଁରେ ରାଜା ଓ ତାହାର ଅମାତ୍ୟବର୍ଗ, ପୁଣି ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ, ଏଥିପାଇଁ ବେଲ୍ଶତ୍ସର ଦ୍ରାକ୍ଷାରସ ଆସ୍ୱାଦନ କରୁ କରୁ ସେସକଳ ପାତ୍ର ଆଣିବା ପାଇଁ ଆଜ୍ଞା କଲା। 3ତହିଁରେ ଯିରୂଶାଲମସ୍ଥ ମନ୍ଦିରରୁ, ଅର୍ଥାତ୍, ପରମେଶ୍ୱରଙ୍କ ଗୃହରୁ ଯେଉଁ ସକଳ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ; ପୁଣି, ରାଜା ଓ ତାହାର ଅମାତ୍ୟବର୍ଗ, ତାହାର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ସବୁରେ ପାନ କଲେ।
4ସେମାନେ ଦ୍ରାକ୍ଷାରସ ପାନ କରୁ କରୁ ସୁନା ଓ ରୂପା, ପିତ୍ତଳ, ଲୁହା, କାଠ ଓ ପଥର ନିର୍ମିତ ଦେବଗଣର ପ୍ରଶଂସା କଲେ। 5ସେହି ଦଣ୍ଡରେ ମନୁଷ୍ୟ ହସ୍ତର ଅଙ୍ଗୁଳି ଆସି ରାଜପ୍ରାସାଦର କାନ୍ଥର ଲେପନ ଉପରେ ଦୀପାଧାରର ନିକଟରେ ଲେଖିଲା, ଆଉ ହସ୍ତର ଯେଉଁ ଅଂଶ ଲେଖିଲା, ରାଜା ତାହା ଦେଖିଲା। 6ତହିଁରେ ରାଜାର ମୁଖ ବିବର୍ଣ୍ଣ ହେଲା ଓ ତାହାର ଭାବନା ତାହାକୁ ଉଦ୍ବିଗ୍ନ କଲା; ପୁଣି, ତାହାର କଟିଦେଶରେ ସନ୍ଧିସ୍ଥାନସବୁ ହୁଗୁଳା ହୋଇଗଲା ଓ ତାହାର ଆଣ୍ଠୁରେ ଆଣ୍ଠୁ ବାଜିଲା। 7ରାଜା ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।” 8ତହିଁରେ ରାଜାର ସମସ୍ତ ବିଦ୍ୱାନ୍ ଲୋକ ଭିତରକୁ ଆସିଲେ; ମାତ୍ର ସେମାନେ ଲେଖା ପଢ଼ି ପାରିଲେ ନାହିଁ, କିଅବା ରାଜାକୁ ତହିଁର ଅର୍ଥ ଜଣାଇ ପାରିଲେ ନାହିଁ। 9ତେଣୁ ରାଜା ବେଲ୍ଶତ୍ସର ଅତିଶୟ ଉଦ୍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।
10ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ। 11ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ; 12କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।”


