ଦାନିୟେଲଙ୍କ ଲେଖାର ଅର୍ଥ ପ୍ରକାଶ

13ତହୁଁ ଦାନିୟେଲଙ୍କୁ ରାଜାର ଛାମୁକୁ ଅଣାଗଲା ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜା ଯିହୁଦା ଦେଶରୁ ଯେଉଁମାନଙ୍କୁ ଆଣିଥିଲେ, ସେହି ନିର୍ବାସିତ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଯେଉଁ ଦାନିୟେଲ ଥିଲେ, ସେ କି ତୁମ୍ଭେ? 14ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ। 15ବର୍ତ୍ତମାନ ଏହି ଲେଖା ପଢ଼ିବା ପାଇଁ ଓ ତହିଁର ଅର୍ଥ ମୋତେ ଜଣାଇବା ପାଇଁ ବିଦ୍ୱାନ୍‍ ଓ ଗଣକମାନେ ମୋʼ ନିକଟକୁ ଅଣା ଯାଇଅଛନ୍ତି; ମାତ୍ର ସେମାନେ ତହିଁର ଅର୍ଥ ପ୍ରକାଶ କରି ପାରିଲେ ନାହିଁ। 16ମାତ୍ର ତୁମ୍ଭ ବିଷୟରେ ମୁଁ ଶୁଣିଅଛି ଯେ, ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଦୂର କରିପାର; ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇପାର, ତେବେ ତୁମ୍ଭେ ବାଇଗଣିଆ ବର୍ଣ୍ଣର ବସ୍ତ୍ରରେ ବସ୍ତ୍ରାନ୍ୱିତ ହେବ, ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଦିଆଯିବ ଓ ତୁମ୍ଭେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”

17ସେତେବେଳେ ଦାନିୟେଲ ରାଜାର ଛାମୁରେ ଉତ୍ତର କରି କହିଲେ, “ଆପଣଙ୍କର ଦାନ ଆପଣଙ୍କର ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦେଉନ୍ତୁ; ତଥାପି ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଅର୍ଥ ତାଙ୍କୁ ଜଣାଇବି। 18ହେ ମହାରାଜ, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍‍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ; 19ଆଉ, ସେ ତାଙ୍କୁ ଏପରି ମହିମା ଦେବାରୁ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ; ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ବଧ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଜୀବିତ ରଖିଲେ; ପୁଣି, ଯାହାକୁ ତାଙ୍କର ଇଚ୍ଛା, ସେ ତାହାକୁ ଉନ୍ନତ କଲେ ଓ ଯାହାକୁ ତାଙ୍କର ଇଚ୍ଛା, ତାହାକୁ ସେ ଅବନତ କଲେ। 20ମାତ୍ର ତାଙ୍କର ଅନ୍ତଃକରଣ ଗର୍ବିତ ହୁଅନ୍ତେ ଓ ତାଙ୍କର ଆତ୍ମା କଠିନ ହୋଇ ସେ ଅହଙ୍କାରପୂର୍ବକ ବ୍ୟବହାର କରନ୍ତେ, ସେ ଆପଣା ରାଜସିଂହାସନରୁ ଚ୍ୟୁତ ହେଲେ ଓ ତାଙ୍କର ଗୌରବ ତାଙ୍କଠାରୁ ଅପହୃତ ହେଲା, 21ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି। 22ଆଉ ହେ ବେଲ୍‍ଶତ୍ସର, ତାଙ୍କର ପୁତ୍ର ଯେ ଆପଣ, ଆପଣ ଏସବୁ ଜାଣିଲେ ହେଁ ଆପଣା ଅନ୍ତଃକରଣ ନମ୍ର କରି ନାହାନ୍ତି; 23ମାତ୍ର ସ୍ୱର୍ଗର ଅଧିପତିଙ୍କ ବିରୁଦ୍ଧରେ ଆପଣାକୁ ଉନ୍ନତ କରିଅଛନ୍ତି ଓ ତାହାଙ୍କ ଗୃହର ନାନା ପାତ୍ର ଆପଣଙ୍କ ସମ୍ମୁଖକୁ ଅଣାଯାʼନ୍ତେ, ଆପଣ ଓ ଆପଣଙ୍କ ଅମାତ୍ୟଗଣ, ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ସେହି ସବୁ ପାତ୍ରରେ ଦ୍ରାକ୍ଷାରସ ପାନ କରିଅଛନ୍ତି; ପୁଣି ରୂପାର, ସୁନାର, ପିତ୍ତଳର, ଲୁହାର, କାଠର ଓ ପଥରର ଯେଉଁ ଦେବଗଣ ଦେଖନ୍ତି ନାହିଁ, କି ଶୁଣନ୍ତି ନାହିଁ, କି ଜାଣନ୍ତି ନାହିଁ, ସେମାନଙ୍କ ପ୍ରଶଂସା ଆପଣ କରିଅଛନ୍ତି; ପୁଣି, ଆପଣଙ୍କର ନିଃଶ୍ୱାସ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।

24ଏହି ସମୟରେ ତାହାଙ୍କ ନିକଟରୁ ହସ୍ତର ଅଂଶ ପ୍ରେରିତ ହେଲା, ଆଉ ଏହି ଲେଖା ଲିଖିତ ହେଲା। 25ପୁଣି, ଯାହା ଲିଖିତ ହେଲା, ତାହା ଏହି, ମିନେ ମିନେ, ତକେଲ, ଉପାରସୀନ। 26ଏହାର ଅର୍ଥ ଏହି ମିନେ, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି। 27ତକେଲ, ଆପଣ ନିକ୍ତିରେ ତୌଲା ଯାଇଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି। 28ପୀରସ୍‍, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି, ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”

29ସେତେବେଳେ ବେଲ୍‍ଶତ୍ସର ଆଜ୍ଞା କରନ୍ତେ, ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଓ ତାଙ୍କର କଣ୍ଠରେ ସୁବର୍ଣ୍ଣ ହାର ଦେଲେ ଓ ସେ ଯେ ରାଜ୍ୟର ତୃତୀୟ କର୍ତ୍ତା ହେବେ, ତାଙ୍କ ବିଷୟରେ ଏହା ଘୋଷଣା କଲେ।

30ସେହି ରାତ୍ରିରେ କଲ୍‍ଦୀୟମାନଙ୍କର ରାଜା ବେଲ୍‍ଶତ୍ସର ବଧ କରାଗଲା। 31ପୁଣି, ମାଦୀୟ ଦାରୀୟାବସ ରାଜ୍ୟ ପ୍ରାପ୍ତ ହେଲା, ସେହି ସମୟରେ ତାହାର ପ୍ରାୟ ବାଷଠି ବର୍ଷ ବୟସ ହୋଇଥିଲା।