ଅନାଦିକାଳୀନ ଈଶ୍ୱରଙ୍କ ଦର୍ଶନ

9ମୁଁ ଦେଖୁ ଦେଖୁ,

କେତେଗୋଟି ସିଂହାସନ ସ୍ଥାପିତ ହେଲା,

ପୁଣି ଅନେକ କାଳର ବୃଦ୍ଧ ଉପବିଷ୍ଟ ହେଲେ।

ତାହାଙ୍କର ବସ୍ତ୍ର ହିମ ତୁଲ୍ୟ ଶୁକ୍ଳବର୍ଣ୍ଣ,

ଓ ତାହାଙ୍କର ମସ୍ତକର କେଶ ବିଶୁଦ୍ଧ ମେଷର ଲୋମ ତୁଲ୍ୟ ଥିଲା।

ତାହାଙ୍କର ସିଂହାସନ ଅଗ୍ନିଶିଖାମୟ

ଓ ତହିଁର ଚକ୍ରସକଳ ଜ୍ୱଳନ୍ତ ଅଗ୍ନି।

10ତାହାଙ୍କ ସମ୍ମୁଖରୁ ଅଗ୍ନିସ୍ରୋତ ନିର୍ଗତ ହୋଇ ବହିଲା;

ସହସ୍ର ସହସ୍ର ତାହାଙ୍କର ପରିଚର୍ଯ୍ୟା କଲେ

ଓ ଅୟୁତ ଅୟୁତ ତାହାଙ୍କ ସମ୍ମୁଖରେ ଉଭା ହେଲେ।

ବିଚାର-ସଭା ବସିଲା

ଓ ପୁସ୍ତକମାନ ଫିଟାଗଲା।

11ସେହି ଶୃଙ୍ଗର କଥିତ ଦର୍ପ-ବାକ୍ୟର ରବ ସକାଶୁ ସେହି ସମୟରେ ମୁଁ ଅନାଇଲି; ମୁଁ ଦେଖିଲି ଯେ, ଶେଷରେ ସେ ପଶୁ ହତ ହେଲା ଓ ତାହାର ଶରୀର ବିନଷ୍ଟ ହେଲା ଓ ସେ ଅଗ୍ନିରେ ଦଗ୍ଧ ହେବା ପାଇଁ ସମର୍ପିତ ହେଲା। 12ପୁଣି, ଅନ୍ୟ ପଶୁମାନଙ୍କଠାରୁ ସେମାନଙ୍କର କର୍ତ୍ତୃତ୍ୱ ନିଆଗଲା; ତଥାପି ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସେମାନଙ୍କର ଆୟୁ ଦୀର୍ଘ କରାଗଲା।

13ମୁଁ ରାତ୍ରିକାଳର ଦର୍ଶନରେ ଦେଖିଲି, ଆଉ ଦେଖ,

ମନୁଷ୍ୟପୁତ୍ର ନ୍ୟାୟ ଏକ ପୁରୁଷ ଆକାଶର ମେଘରେ ଆସିଲେ;

ସେ ଅନେକ କାଳର ସେହି ବୃଦ୍ଧଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ,

ସେମାନେ ତାହାଙ୍କ ଛାମୁକୁ ତାହାଙ୍କୁ ଆଣିଲେ।

14ପୁଣି, ସମୁଦାୟ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ଯେପରି ତାହାଙ୍କର ସେବା କରିବେ,

ଏଥିପାଇଁ ତାହାଙ୍କୁ କର୍ତ୍ତୃତ୍ୱ, ମହିମା ଓ ରାଜ୍ୟ ଦତ୍ତ ହେଲା;

ତାହାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ କର୍ତ୍ତୃତ୍ୱ, ତାହା ଲୁପ୍ତ ହେବ ନାହିଁ,

ଆଉ ତାହାଙ୍କର ରାଜ୍ୟ ଅବିନାଶ୍ୟ।

15ମୁଁ ଦାନିୟେଲ, ମୋର ଆତ୍ମା ମୋର ଶରୀର ମଧ୍ୟରେ ଶୋକାନ୍ୱିତ ହେଲା ଓ ମୋର ମାନସିକ ଦର୍ଶନ ମୋତେ ଉଦ୍‍ବିଗ୍ନ କଲା।