ଦାନିୟେଲଙ୍କ ଦର୍ଶନର ଅର୍ଥ
16ମୋର ନିକଟରେ ଯେଉଁମାନେ ଠିଆ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏକ ଜଣର ନିକଟକୁ ମୁଁ ଯାଇ ଏସବୁର ତଥ୍ୟ ପଚାରିଲି। ତହିଁରେ ସେ ମୋତେ ସେହିସବୁର ଅର୍ଥ ଜଣାଇ କହିଲେ। 17‘ସେହି ଚାରି ବୃହତ ପଶୁ ଚାରି ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ। 18ମାତ୍ର ସର୍ବୋପରିସ୍ଥଙ୍କର ପବିତ୍ରଗଣ ରାଜ୍ୟ ପ୍ରାପ୍ତ ହେବେ ଓ ଚିରକାଳ, ଅର୍ଥାତ୍, ଅନନ୍ତକାଳ ପର୍ଯ୍ୟନ୍ତ ରାଜ୍ୟ ଭୋଗ କରିବେ।’
19ସେତେବେଳେ ଯେଉଁ ଚତୁର୍ଥ ପଶୁ, ଯେ ଅନ୍ୟ ସକଳରୁ ଭିନ୍ନ, ଅତି ଭୟାନକ, ଯାହାର ଦନ୍ତ ଲୌହମୟ ଓ ନଖସବୁ ପିତ୍ତଳମୟ ଥିଲା, ଯେ ଗ୍ରାସ କଲା, ଭାଙ୍ଗି ଚୂର୍ଣ୍ଣ କଲା ଓ ଅବଶିଷ୍ଟସବୁକୁ ପଦ ତଳେ ଦଳିତ କଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି; 20ପୁଣି, ତାହାର ମସ୍ତକରେ ଯେଉଁ ଦଶ ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତିନି ଶୃଙ୍ଗ ପଡ଼ିଗଲା; ଅର୍ଥାତ୍, ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି।
21ମୁଁ ଦେଖିଲି, ଆଉ ସେହି ଶୃଙ୍ଗ ପବିତ୍ରଗଣଙ୍କ ସଙ୍ଗେ ଯୁଦ୍ଧ କଲା ଓ ସେମାନଙ୍କୁ ଜୟ କଲା; 22ଶେଷରେ ସେହି ଅନେକ କାଳର ବୃଦ୍ଧ ଆସିଲେ ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ବିଚାର ଭାର ଦତ୍ତ ହେଲା ଓ ପବିତ୍ରଗଣଙ୍କର ରାଜ୍ୟ ଭୋଗ କରିବାର ସମୟ ଉପସ୍ଥିତ ହେଲା।
23ସେ ଏହିରୂପେ କହିଲେ,
‘ଚତୁର୍ଥ ପଶୁ ପୃଥିବୀର ଚତୁର୍ଥ ରାଜ୍ୟ ହେବ,
ତାହା ଅନ୍ୟ ସକଳ ରାଜ୍ୟଠାରୁ ଭିନ୍ନ ହେବ
ଓ ସମୁଦାୟ ପୃଥିବୀକୁ ଗ୍ରାସ କରିବ,
ଆଉ ଦଳିତ କରି ଖଣ୍ଡ ଖଣ୍ଡ କରିବ ଓ
ତାହା ଭାଙ୍ଗି ପକାଇବ।
24ପୁଣି, ସେହି ଦଶ ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ,
ସେହି ରାଜ୍ୟରୁ ଦଶ ରାଜା ଉତ୍ପନ୍ନ ହେବେ;
ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ।
ସେ ପୂର୍ବବର୍ତ୍ତୀମାନଙ୍କଠାରୁ ଭିନ୍ନ ହେବ
ଓ ସେ ତିନି ରାଜାଙ୍କୁ ଦମନ କରିବ।
25ପୁଣି, ସେ ସର୍ବୋପରିସ୍ଥଙ୍କ ବିରୁଦ୍ଧରେ କଥା କହିବ
ଓ ସର୍ବୋପରିସ୍ଥଙ୍କର ପବିତ୍ରଗଣଙ୍କୁ ଦମନ କରିବ;
ଆଉ, ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ;
ପୁଣି, ଏକ କାଳ, (ଦୁଇ) ପବିତ୍ର ପର୍ବ ଓ ଅର୍ଦ୍ଧ ପବିତ୍ର ପର୍ବ ପର୍ଯ୍ୟନ୍ତ
ସେମାନେ ତାହା ହସ୍ତରେ ସମର୍ପିତ ହେବେ।
26ମାତ୍ର ବିଚାର-ସଭା ବସିବ
ଓ ସେମାନେ ଶେଷ ପର୍ଯ୍ୟନ୍ତ ତାହାର କର୍ତ୍ତୃତ୍ୱର
କ୍ଷୟ ଓ ବିନାଶ କରିବା ପାଇଁ ତାହାଠାରୁ ତାହା ନେବେ।
27ଆଉ, ଶାସନ କାଳ ଓ କର୍ତ୍ତୃତ୍ୱ
ଓ ଆକାଶମଣ୍ଡଳର ଅଧଃସ୍ଥିତ ରାଜ୍ୟସମୂହର ମହିମା,
ସର୍ବୋପରିସ୍ଥଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ;
ତାହାଙ୍କର ରାଜ୍ୟ ଅନନ୍ତକାଳୀନ
ରାଜ୍ୟ ଓ ଯାବତୀୟ ଶାସନକର୍ତ୍ତା ତାହାଙ୍କର ସେବା କରିବେ ଓ ତାହାଙ୍କର ଆଜ୍ଞାବହ ହେବେ।’
28ଏଠାରେ ବୃତ୍ତାନ୍ତର ଶେଷ ମୁଁ ଦାନିୟେଲ, ମୋର ଭାବନା ମୋତେ ଉଦ୍ବିଗ୍ନ କଲା ଓ ମୋର ମୁଖ ବିବର୍ଣ୍ଣ ହେଲା, ମାତ୍ର ମୁଁ ସେ କଥା ଆପଣା ମନରେ ରଖିଲି।”


