ସ୍ୱପ୍ନର ଅର୍ଥ ପ୍ରକାଶ
15ଏଥିଉତ୍ତାରେ ମୁଁ ଦାନିୟେଲ ଏହି ଦର୍ଶନ ପାଇଲା ଉତ୍ତାରେ ତାହା ବୁଝିବା ପାଇଁ ଚେଷ୍ଟା କଲି; ଆଉ ଦେଖ, ମନୁଷ୍ୟାକୃତି ଏକ ବ୍ୟକ୍ତି ସମ୍ମୁଖରେ ଠିଆ ହେଲେ। 16ପୁଣି, ଉଳୟ ନଦୀ ମଧ୍ୟରୁ ମୁଁ ମନୁଷ୍ୟର ରବ ଶୁଣିଲି, ସେ ଡାକି କହିଲେ, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।” 17ତହିଁରେ ମୁଁ ଯେଉଁ ସ୍ଥାନରେ ଠିଆ ହୋଇଥିଲି, ସେହି ସ୍ଥାନର ନିକଟକୁ ସେ ଆସିଲେ; ପୁଣି, ସେ ଆସନ୍ତେ, ମୁଁ ଭୀତ ହେଲି ଓ ମୁହଁ ମାଡ଼ି ପଡ଼ିଲି; ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ବୁଝ; କାରଣ ଏହି ଦର୍ଶନ ଶେଷ କାଳ ବିଷୟକ।”
18ସେ ମୋତେ କଥା କହୁ କହୁ ମୁଁ ଭୂମି ଆଡ଼େ ମୁଖ କରି ଘୋର ନିଦ୍ରାଗ୍ରସ୍ତ ହେଲି; ମାତ୍ର ସେ ସ୍ପର୍ଶ କରି ମୋତେ ଠିଆ କରାଇଲେ। 19ଆଉ, ସେ ମୋତେ କହିଲେ, “ଦେଖ, କ୍ରୋଧର ପରିଣାମ ସମୟରେ ଯାହା ଘଟିବ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; କାରଣ ଏହା ନିରୂପିତ ଶେଷ କାଳର କଥା। 20ତୁମ୍ଭେ ଯେଉଁ ମେଷ ଦେଖିଲ, ତାହାର ଦୁଇ ଶୃଙ୍ଗ ମାଦୀୟ ଓ ପାରସିକ ରାଜା। 21ପୁଣି, ସେ ଲୋମଶ ଛାଗ ଯବନ ଦେଶର ରାଜା ଓ ତାହାର ଦୁଇ ଚକ୍ଷୁର ମଧ୍ୟସ୍ଥାନରେ ଥିବାର ବୃହତ ଶୃଙ୍ଗ ପ୍ରଥମ ରାଜା। 22ଆଉ, ଯେଉଁ ଶୃଙ୍ଗ ଭଗ୍ନ ହୋଇ ତହିଁର ସ୍ଥାନରେ ଯେ ଚାରି ଶୃଙ୍ଗ ଉତ୍ପନ୍ନ ହେଲା, ଏଥିରେ ସେହି ଦେଶୀୟମାନଙ୍କ ମଧ୍ୟରୁ ଚାରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ପରାକ୍ରମରେ ତାହାର ତୁଲ୍ୟ ନୋହିବ। 23ପୁଣି, ସେମାନଙ୍କ ରାଜ୍ୟର ପରିଣାମ ସମୟରେ ଯେତେବେଳେ ଆଜ୍ଞା-ଲଙ୍ଘନକାରୀମାନଙ୍କର ଆଜ୍ଞାଲଙ୍ଘନ ସମ୍ପୂର୍ଣ୍ଣ ହେବ, ସେତେବେଳେ ଭୟଙ୍କର ବଦନ ଓ ନିଗୂଢ଼ ବାକ୍ୟ-ଜ୍ଞାନୀ ଏକ ରାଜା ଉତ୍ପନ୍ନ ହେବ। 24ସେ ବଳରେ ପରାକ୍ରାନ୍ତ ହେବ, ମାତ୍ର ତାହାର ନିଜ ବଳରେ ନୁହେଁ; ଆଉ, ସେ ଆଶ୍ଚର୍ଯ୍ୟ ରୂପେ ବିନାଶ କରିବ ଓ ସମୃଦ୍ଧ ହୋଇ ସ୍ଵେଚ୍ଛାମତ କାର୍ଯ୍ୟ କରିବ; ଆଉ, ସେ ପରାକ୍ରମୀଗଣକୁ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ। 25ପୁଣି, ଆପଣା କୌଶଳ ଦ୍ୱାରା ତାହାର ହସ୍ତରେ ଛଳ ସଫଳ ହେବ ଓ ସେ ଆପଣା ଅନ୍ତଃକରଣରେ ନିଜକୁ ବଡ଼ାଇ କରିବ ଓ ସେମାନଙ୍କ ନିରାପଦ କାଳରେ ଅନେକଙ୍କୁ ବିନାଶ କରିବ; ଆହୁରି, ସେ ଅଧିପତିଗଣର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ; ମାତ୍ର ସେ ବିନା ହସ୍ତରେ ଭଗ୍ନ ହେବ। 26ଆଉ, ସନ୍ଧ୍ୟା ଓ ପ୍ରାତଃକାଳ ବିଷୟରେ କଥିତ ଦର୍ଶନ ସତ୍ୟ; ମାତ୍ର ତୁମ୍ଭେ ଏହି ଦର୍ଶନ ମୁଦ୍ରାଙ୍କିତ କର; କାରଣ ତାହା ଆଗାମୀ ଅନେକ ଦିନର କଥା।”
27ଏଥିଉତ୍ତାରେ ମୁଁ ଦାନିୟେଲ କ୍ଳାନ୍ତ ହେଲି ଓ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି; ତହିଁ ଉତ୍ତାରେ ମୁଁ ଉଠି ରାଜକାର୍ଯ୍ୟ କଲି; ଆଉ, ମୁଁ ସେହି ଦର୍ଶନରେ ଚମତ୍କୃତ ହେଲି, ମାତ୍ର କେହି ସେ ଦର୍ଶନ ବୁଝିଲେ ନାହିଁ।


