ଗାବ୍ରିଏଲଙ୍କ ସମ୍ବାଦ

20ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋʼ ର ପାପ ଓ ମୋʼ ର ଇସ୍ରାଏଲ ଲୋକଙ୍କର ପାପ ସ୍ୱୀକାର କରୁଥିଲି, ଆଉ ମୋʼ ପରମେଶ୍ୱରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି; 21ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନରେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦେଶପ୍ରାପ୍ତ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ। 22ପୁଣି, ସେ ମୋତେ ଶିକ୍ଷା ଦେଲେ ଓ ମୋʼ ସଙ୍ଗେ କଥାବାର୍ତ୍ତା କରି କହିଲେ, “ହେ ଦାନିୟେଲ, ମୁଁ ଏବେ ତୁମ୍ଭକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି। 23ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟନ୍ତ ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ।

24ଆଜ୍ଞାଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍‍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି। 25ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନଃନିର୍ମିତ ହେବ। 26ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଲାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି। 27ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକଙ୍କ ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶ କର ଉପରେ କ୍ରୋଧ ଢଳାଯିବ।”