ରାଜାଙ୍କ ଭୋଜ

1ଅକ୍ଷଶ୍ୱେରଶ ହିନ୍ଦୁସ୍ଥାନଠାରୁ କୂଶ ଦେଶ ପର୍ଯ୍ୟନ୍ତ ଏକ ଶତ ସତାଇଶ ପ୍ରଦେଶ ଉପରେ ରାଜ୍ୟ କଲେ। 2ଏହି ଅକ୍ଷଶ୍ୱେରଶ ରାଜା ଶୂଶନ୍‍ ରାଜଧାନୀରେ ଆପଣା ରାଜସିଂହାସନରେ ଉପବିଷ୍ଟ ହେଲା ଉତ୍ତାରେ, 3ଆପଣା ରାଜତ୍ଵର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ; ତହିଁରେ ପାରସ୍ୟ ଓ ମାଦୀୟା ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ। 4ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତ୍ୱର ଶୋଭାର ଉତ୍କୃଷ୍ଟତା ଅନେକ ଦିନ, ଅର୍ଥାତ୍‍, ଏକ ଶତ ଅଶୀ ଦିନ ପର୍ଯ୍ୟନ୍ତ ପ୍ରଦର୍ଶନ କଲେ। 5ତହୁଁ ଏସବୁ ଦିନ ଗତ ହୁଅନ୍ତେ, ରାଜା ଶୂଶନ୍‍ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ ସାତ ଦିନ ପର୍ଯ୍ୟନ୍ତ ଭୋଜ କଲେ। 6ସେଠାରେ କାର୍ପାସନିର୍ମିତ, ଶୁକ୍ଳ, ହରିତ୍‍ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା, ତାହା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜ୍ଜୁ ଦ୍ୱାରା ରୌପ୍ୟମୟ କଡ଼ାରେ ମର୍ମର ସ୍ତମ୍ଭରେ ବନ୍ଧା ଥିଲା, ପୁଣି ରକ୍ତ ଓ ଶୁକ୍ଳ ଓ ପୀତ ଓ କୃଷ୍ଣବର୍ଣ୍ଣ ମର୍ମର ପ୍ରସ୍ତର ନିର୍ମିତ ଚଟାଣ ଉପରେ ସ୍ୱର୍ଣ୍ଣ ଓ ରୌପ୍ୟମୟ ଆସନ ଥିଲା। 7ଆଉ, ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାଙ୍କ ଉଦାରତାନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। 8ଯଦ୍ୟପି ପାନ କରିବା ବିଧିଗତ ଥିଲା; କିନ୍ତୁ କାହାରି ପାଇଁ ପାନ କରିବା ବାଧ୍ୟତାମୂଳକ କରାଯାଇ ନ ଥିଲା; କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛାନୁସାରେ ପାନ କରିବାର ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲେ। 9ମଧ୍ୟ ରାଣୀ ବଷ୍ଟୀ ଅକ୍ଷଶ୍ୱେରଶର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ।