ଯିହୁଦୀଙ୍କ ଶତ୍ରୁମାନଙ୍କର ବିନାଶ
1ଏଥିମଧ୍ୟରେ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର କାର୍ଯ୍ୟକାରୀ ସମୟ ନିକଟ ହେଲା; ଅର୍ଥାତ୍, ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ, ସେହି ଦିନ ଏପରି ବିପରୀତ ଘଟଣା ହେଲା ଯେ, ଯିହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। 2ସେତେବେଳେ ଯିହୁଦୀୟମାନେ ଆପଣାମାନଙ୍କ ହିଂସାଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକ୍ଷଶ୍ୱେରଶ ରାଜାଙ୍କ ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ, ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇ ପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କ ସକାଶୁ ଭୀତ ହୋଇଥିଲେ। 3ଆଉ, ପ୍ରଦେଶାଧିପତି ଓ କ୍ଷିତିପାଳ ଓ ଶାସନକର୍ତ୍ତା ଓ ରାଜ-କର୍ମକାରୀମାନେ ଯିହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦଖୟ ସକାଶେ ସେମାନେ ଭୟଭୀତ ହୋଇଥିଲେ। 4ଯେହେତୁ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ମହାନ ଥିଲେ ଓ ତାହାର ଯଶ ସର୍ବ ପ୍ରଦେଶରେ ବ୍ୟାପ୍ତ ହେଲା; କାରଣ ସେହି ମର୍ଦ୍ଦଖୟ ଅଧିକ ଶକ୍ତିଶାଳୀ ହେଲେ। 5ପୁଣି, ଯିହୁଦୀୟମାନେ ଆପଣାମାନଙ୍କ ସମସ୍ତ ଶତ୍ରୁଙ୍କୁ ଖଡ୍ଗାଘାତ ଓ ସଂହାର ଓ ବିନାଶ କଲେ; ସେମାନେ ଆପଣାମାନଙ୍କ ଘୃଣାକାରୀଗଣ ପ୍ରତି ଯାହା ଇଚ୍ଛା, ତାହା କଲେ। 6ଏହିରୂପେ ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ ପାଞ୍ଚ ଶତ ଲୋକଙ୍କୁ ବଧ ଓ ବିନାଶ କଲେ। 7ପୁଣି, ପର୍ଶନ୍ଦାଥ ଓ ଦଲ୍ଫୋନ ଓ ଅସ୍ପାଥ 8ଓ ପୋରାଥ ଓ ଅଦଲୀୟ ଓ ଅରିଦାଥ 9ଓ ପର୍ମସ୍ତ ଓ ଅରୀଷୟ ଓ ଅରୀଦୟ ଓ ବୟିଷାଥ, 10ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ, ମାତ୍ର ଲୁଟ କରିବାକୁ ସେମାନେ ହସ୍ତକ୍ଷେପ କଲେ ନାହିଁ।
11ଯେଉଁମାନେ ଶୂଶନ୍ ରାଜଧାନୀରେ ହତ ହେଲେ, ସେମାନଙ୍କର ସଂଖ୍ୟା ସେହି ଦିନରେ ରାଜା ଛାମୁକୁ ଆସନ୍ତେ, 12ରାଜା ଏଷ୍ଟର ରାଣୀଙ୍କୁ କହିଲେ, “ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନ୍ର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାଙ୍କ ଅବଶିଷ୍ଟ ପ୍ରଦେଶ ସକଳରେ କଅଣ କରି ନ ଥିବେ! ଏବେ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ? ତାହା ସିଦ୍ଧ ହେବ।” 13ତହୁଁ ଏଷ୍ଟର କହିଲେ, “ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ଶୂଶନ୍ସ୍ଥ ଯିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ, ଆଉ ହାମନ୍ର ଦଶ ପୁତ୍ର ଫାଶୀକାଠରେ ଟଙ୍ଗା ଯାଉନ୍ତୁ।” 14ଏଥିରେ “ସେପରି କରାଯିବାକୁ” ରାଜା ଆଜ୍ଞା ଦେଲେ ପୁଣି, ସେହି ଆଜ୍ଞା ଶୂଶନ୍ରେ ପ୍ରଚାରିତ ହେଲା; ତହିଁରେ ଲୋକମାନେ ହାମନ୍ର ଦଶ ପୁତ୍ରଙ୍କୁ ଫାଶୀକାଠରେ ଟଙ୍ଗାଇଲେ। 15ଆଉ, ଶୂଶନ୍ସ୍ଥ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ଶୂଶନ୍ରେ ତିନି ଶତ ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।
16ଏଥିମଧ୍ୟରେ ରାଜାଙ୍କ ନାନା ପ୍ରଦେଶ ନିବାସୀ ଅନ୍ୟ ସକଳ ଯିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ; ପୁଣି, ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର ପଞ୍ଚସ୍ତରି ସହସ୍ର ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ। 17ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା; ପୁଣି, ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ। 18ମାତ୍ର ଶୂଶନ୍ସ୍ଥ ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ ଓ ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ। 19ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍, ପ୍ରାଚୀରହୀନ ନଗର ନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି।


