ବଷ୍ଟୀ ରାଣୀଙ୍କ ଅସମ୍ମତି

10ସପ୍ତମ ଦିନରେ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହୋଇ ମହୂମନ୍‍, ବିସ୍ଥା, ହର୍ବୋଣା, ବିଗ୍‍ଥା ଓ ଅବଗଥ, ସେଥର ଓ କର୍କସ, ଅକ୍ଷଶ୍ୱେରଶ ରାଜାଙ୍କ ଛାମୁସ୍ଥ ଏହି ସାତ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲେ, 11ତୁମ୍ଭେମାନେ ଲୋକମାନଙ୍କୁ ଓ ଅଧିପତିଗଣଙ୍କୁ ବଷ୍ଟୀ ରାଣୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ତାହାଙ୍କୁ ରାଜମୁକୁଟରେ ଭୂଷିତା କରି ରାଜାଙ୍କ ଛାମୁକୁ ଆଣ, ଯେଣୁ ସେ ପରମସୁନ୍ଦରୀ ଥିଲେ। 12ମାତ୍ର ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ରାଜାଙ୍କ କଥିତ ଆଜ୍ଞାରେ ଆସିବାକୁ ଅସମ୍ମତା ହେଲା; ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାଙ୍କ ଅନ୍ତରରେ କ୍ରୋଧ ପ୍ରଜ୍ୱଳିତ ହେଲା।

13ଏଥିଉତ୍ତାରେ ରାଜା ସମୟ ଓ କାଳର ବିଦ୍ୱାନ୍‍ବର୍ଗଙ୍କୁ ପଚାରିଲେ, (କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞମାନଙ୍କୁ ଏରୂପ ପଚାରିବାର ରାଜାଙ୍କ ରୀତି ଥିଲା; 14ଆଉ, [ଏହି ସମୟରେ] କର୍ଶନା, ଶେଥର, ଅଦ୍‍ମାଥା, ତର୍ଶୀଶ, ମେରସ୍‍, ମେର୍ସନା ଓ ମମୁଖନ୍‍ ରାଜାଙ୍କ ନିକଟବର୍ତ୍ତୀ ଥିଲେ; ଏହି ସାତ ଜଣ ପାରସ୍ୟ ଓ ମାଦୀୟା ଦେଶର ଅଧିପତି, ରାଜାଙ୍କ ମୁଖଦର୍ଶନକାରୀ, ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ) 15(ରାଜା ପଚାରିଲେ) “ବଷ୍ଟୀ ରାଣୀ ନପୁଂସକମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷଶ୍ୱେରଶ ରାଜାଙ୍କ ଆଜ୍ଞା ନ ମାନିବାରୁ ବ୍ୟବସ୍ଥାନୁସାରେ ଆମ୍ଭେମାନେ ତାହାଙ୍କୁ କଅଣ କରିବା?” 16ଏଥିରେ ମମୁଖନ୍‍ ରାଜାଙ୍କ ଓ ଅଧିପତିଗଣଙ୍କ ସାକ୍ଷାତରେ ଉତ୍ତର ଦେଲା, “ବଷ୍ଟୀ ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ୱେରଶ ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛନ୍ତି। 17କାରଣ ରାଣୀଙ୍କ ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପି ଯିବ, ‘ଆଉ ଅକ୍ଷଶ୍ୱେରଶ ରାଜା ବଷ୍ଟୀ ରାଣୀଙ୍କୁ ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲେ ନାହିଁ;’ ଏହି ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ। 18ଆଉ, ପାରସ୍ୟ ଓ ମାଦୀୟାର ଯେଉଁ କୁଳୀନା ସ୍ତ୍ରୀଗଣ ରାଣୀଙ୍କ ଏହି କର୍ମର ସମାଚାର ଆଜି ଶୁଣିଅଛନ୍ତି, ସେମାନେ ରାଜାଙ୍କ ସମସ୍ତ ଅଧିପତିଙ୍କୁ ଏହିରୂପେ କହିବେ, ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ। 19ଏନିମନ୍ତେ ଯେବେ ମହାରାଜା ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟୀ ଅକ୍ଷଶ୍ୱେରଶ ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀଛାମୁରୁ ପ୍ରକାଶିତ ହେଉ; ପୁଣି, ଏହା ଅନ୍ୟଥା ନୋହିବା ପାଇଁ ପାରସିକ ଓ ମାଦୀୟ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ; ପୁଣି, ମହାରାଜା ତାହାର ରାଣୀପଦ ଅନ୍ୟକୁ ଦିଅନ୍ତୁ ଯେ ତାହା ଅପେକ୍ଷା ଅଧିକ ଉତ୍ତମ ଅଟନ୍ତି। 20ଆହୁରି, ରାଜ୍ୟ ବୃହତ, ଏଣୁ ରାଜ୍ୟର ସବୁ ସ୍ଥାନରେ ଏହି ରାଜାଜ୍ଞା ପ୍ରକାଶିତ ହେଲେ, ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ।” 21ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ, ରାଜା ମମୁଖନ୍‍ର ପରାମର୍ଶନୁସାରେ କର୍ମ କଲେ। 22ତହୁଁ ସେ ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ ରାଜାଙ୍କ ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିରୂପେ ପତ୍ର ପଠାଇଲେ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ କର୍ତ୍ତୃତ୍ୱ କରୁ ଓ ସ୍ୱଗୋଷ୍ଠୀୟ ଭାଷାନୁସାରେ ତାହା ପ୍ରଚାର କରୁ।