ଏଷ୍ଟରଙ୍କ ଭୋଜ
1ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ। 2ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ। 3ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।” 4ଏଷ୍ଟର ଉତ୍ତର କଲେ, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜକୁ ଆଗମନ କରନ୍ତୁ।” 5ଏଥିରେ ରାଜା କହିଲେ, “ଏଷ୍ଟରଙ୍କ କଥାନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନ୍କୁ କୁହ;” ଏଥିଉତ୍ତାରେ ରାଜା ଓ ହାମନ୍ ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ଆସିଲେ। 6ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ କହିଲେ, ତୁମ୍ଭର ନିବେଦନ କଅଣ? “ତାହା ତୁମ୍ଭକୁ ଦତ୍ତ ହେବ; ପୁଣି, ତୁମ୍ଭର ପ୍ରାର୍ଥନା କଅଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ।” 7ତହିଁରେ ଏଷ୍ଟର ଉତ୍ତର ଦେଲେ, “ମୋହର ନିବେଦନ ଓ ପ୍ରାର୍ଥନା ଏହି; 8ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ୍ ଆସନ୍ତୁ, ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି।”


