ମର୍ଦ୍ଦଖୟଙ୍କୁ ଫାଶୀ ଦେବାକୁ ହାମନ୍‍ର ଷଡ଼ଯନ୍ତ୍ର

9ତହିଁରେ ସେହି ଦିନ ହାମନ୍‍ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରକୁ ଗଲା; ମାତ୍ର ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲେ। 10ତଥାପି ହାମନ୍‍ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶ୍‍କୁ ଡକାଇ ଆଣିଲେ। 11ଆଉ, ହାମନ୍‍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିପରି ତାହାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲେ। 12ହାମନ୍‍ ଆହୁରି କହିଲେ, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋʼ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି; ପୁଣି, କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13ମାତ୍ର ଯେପର୍ଯ୍ୟନ୍ତ ମୁଁ ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ।” 14ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରେ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।