ଯିହିଜିକଲଙ୍କ ଆହ୍ୱାନ
1ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା।” 2ସେ କଥା କହିବା ବେଳେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି। 3ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି। 4ସେହି ସନ୍ତାନମାନେ ନିର୍ଲଜ ମୁଖ ଓ କଠିନ ଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’ 5ସେମାନେ ବିଦ୍ରୋହୀ ବଂଶ, ଏଣୁ ଶୁଣନ୍ତୁ ଅବା ନ ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ। 6ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି ଓ କଣ୍ଟକ ତୁଲ୍ୟ ଅଟନ୍ତି, ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ। 7ସେମାନେ ଅତ୍ୟନ୍ତ ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ନ ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ।
8ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର।” 9ତହିଁରେ ମୁଁ ଅନାନ୍ତେ, ଦେଖ, ଏକ ହସ୍ତ ମୋʼ ପ୍ରତି ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକ ନଳାକାର ପୁସ୍ତକ ଥିଲା; 10ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ଓ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ଓ ସନ୍ତାପର କଥା ଲିଖିତ ଥିଲା।
1ଏଥିଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର; ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ।” 2ତହିଁରେ ମୁଁ ଆପଣା ମୁଖ ଫିଟାନ୍ତେ, ସେ ମୋତେ ସେହି ନଳାକାର ପୁସ୍ତକ ଭୋଜନ କରାଇଲେ। 3ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉ, ତାହା ତୁମ୍ଭେ ଜଠରରେ ଗ୍ରହଣ କରି ଆପଣା ଉଦର ପୂର୍ଣ୍ଣ କର!” ତହିଁରେ ମୁଁ ତାହା ଭୋଜନ କଲି; ଆଉ, ମିଷ୍ଟତା ସକାଶୁ ତାହା ମୋʼ ମୁଖକୁ ମଧୁପରି ଲାଗିଲା।
4ଏଉତ୍ତାରେ ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ସେମାନଙ୍କୁ ଆମ୍ଭର ବାକ୍ୟସକଳ କୁହ। 5କାରଣ ତୁମ୍ଭେ କୌଣସି ବିଦେଶୀୟ ଓ କଠିନ ଭାଷାବାଦୀ ଗୋଷ୍ଠୀ ନିକଟକୁ ପ୍ରେରିତ ନ ହୋଇ ଇସ୍ରାଏଲ ବଂଶ ନିକଟକୁ ପ୍ରେରିତ ହେଉଅଛ; 6ଯେଉଁମାନଙ୍କର ଭାଷା ତୁମ୍ଭେ ବୁଝି ନ ପାର, ଏପରି ବିଦେଶୀୟ ଓ କଠିନ ଭାଷାବାଦୀ ଅନେକ ଗୋଷ୍ଠୀ ନିକଟକୁ ତୁମ୍ଭେ ପ୍ରେରିତ ହେଉ ନାହଁ। ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପଠାଇଲେ, ସେମାନେ ନିଶ୍ଚୟ ତୁମ୍ଭର କଥା ଶୁଣନ୍ତେ। 7ମାତ୍ର ଇସ୍ରାଏଲ ବଂଶ ତୁମ୍ଭ କଥା ଶୁଣିବେ ନାହିଁ; କାରଣ ସେମାନେ ଆମ୍ଭ କଥା ଶୁଣିବେ ନାହିଁ; ସମୁଦାୟ ଇସ୍ରାଏଲ ବଂଶ ଶକ୍ତଗ୍ରୀବ ଓ କଠିନ ଚିତ୍ତ ଅଟନ୍ତି। 8ଦେଖ, ଆମ୍ଭେ ସେମାନଙ୍କ ମୁଖର ପ୍ରତିକୂଳରେ ତୁମ୍ଭର ମୁଖ ଓ ସେମାନଙ୍କ କପାଳର ପ୍ରତିକୂଳରେ ତୁମ୍ଭର କପାଳ ଦୃଢ଼ କରିଅଛୁ। 9ଆମ୍ଭେ ଚକ୍ମକି ପ୍ରସ୍ତର ଅପେକ୍ଷା ଦୃଢ଼ ହୀରକ ତୁଲ୍ୟ ତୁମ୍ଭର କପାଳ କରିଅଛୁ; ସେମାନେ ବିଦ୍ରୋହୀ ବଂଶ ହେଲେ ହେଁ ସେମାନଙ୍କୁ ଭୟ କର ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ।” 10ଆହୁରି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହି ସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11ପୁଣି, ତୁମ୍ଭ ଲୋକଙ୍କର ନିର୍ବାସିତ ସନ୍ତାନଗଣ ନିକଟକୁ ଯାଇ ସେମାନଙ୍କୁ କୁହ; ସେମାନେ ଶୁଣନ୍ତୁ ଅବା ନ ଶୁଣନ୍ତୁ, ସେମାନଙ୍କୁ ଜଣାଅ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି।’”
12ଏଉତ୍ତାରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇଲେ, ତହିଁରେ ମୁଁ ଆପଣା ପଶ୍ଚାତରେ, “ଧନ୍ୟ ସଦାପ୍ରଭୁଙ୍କର ମହିମା,” ଏହି କଥା ମହା ଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି। 13ପୁଣି, ସେହି ଜୀବିତ ପ୍ରାଣୀମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କରନ୍ତେ, ମୁଁ ତହିଁର ଶବ୍ଦ ଓ ସେମାନଙ୍କ ପାର୍ଶ୍ୱସ୍ଥ ଚକ୍ରର ଶବ୍ଦ, ଏହି ମହା ଖରତର ଶବ୍ଦ ଶୁଣିଲି। 14ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ; ତହୁଁ ମୁଁ ଦୁଃଖିତ ଓ ପରମେଶ୍ୱରଙ୍କ ଆତ୍ମାରେ ତାପିତ ହୋଇ ଗମନ କଲି, ପୁଣି, ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ପ୍ରବଳ ଥିଲା। 15ତେବେ ମୁଁ ତେଲଆବୀବକୁ, କବାର ନଦୀତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି ଓ ସେମାନେ ଯେଉଁ ସ୍ଥାନରେ ବାସ କଲେ, ସେହି ସ୍ଥାନରେ ସେମାନଙ୍କ ମଧ୍ୟରେ ସ୍ତବ୍ଧ ହୋଇ ସାତ ଦିନ ବସି ରହିଲି।


