ଅମ୍ମୋନ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ
1ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ, 2“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ପ୍ରତି ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର; 3ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୁଦା ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ; 4ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍ଧ ପାନ କରିବେ। 5ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। 6କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି, ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ। 7ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟିତ ଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।


