ଇସ୍ରାଏଲ ପ୍ରତି ପ୍ରହରୀ

16ଏଥିଉତ୍ତାରେ ସାତ ଦିନ ସମାପ୍ତ ହେଲା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା: 17“ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ; ଏହେତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18‘ତୁମ୍ଭେ ନିଶ୍ଚୟ ମରିବ,’ ଏହି କଥା ଯେତେବେଳେ ଆମ୍ଭେ ଦୁଷ୍ଟକୁ କହୁ; ସେତେବେଳେ ତୁମ୍ଭେ ଯଦି ତାହାକୁ ଚେତନା ନ ଦିଅ, କିଅବା ତାହାର ପ୍ରାଣ ରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ; ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। 19ତଥାପି ତୁମ୍ଭେ ଯଦି ଦୁଷ୍ଟକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରୁ ନ ଫେରେ, ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ। 20ପୁନର୍ବାର କୌଣସି ଧାର୍ମିକ ଲୋକ ଯଦି ଆପଣା ଧର୍ମରୁ ଫେରି ଅଧର୍ମ କରେ ଓ ଆମ୍ଭେ ତାହା ସମ୍ମୁଖରେ ବାଧା ରଖୁ, ତେବେ ସେ ମରିବ; ତୁମ୍ଭେ ତାହାକୁ ଚେତନା ନ ଦେବା ସକାଶୁ ସେ ଆପଣା ପାପରେ ମରିବ ଓ ତାହାର ଧର୍ମକର୍ମସବୁ ସ୍ମରଣ କରାଯିବ ନାହିଁ; ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। 21ତଥାପି ଧାର୍ମିକ ଲୋକ ଯେପରି ପାପ ନ କରିବ, ଏଥିପାଇଁ ତୁମ୍ଭେ ଧାର୍ମିକ ଲୋକକୁ ଚେତନା ଦେଲେ, ସେ ଯଦି ପାପ ନ କରେ, ତେବେ ସେ ଚେତନା ଗ୍ରହଣ କରିବା ସକାଶୁ ନିଶ୍ଚୟ ବଞ୍ଚିବ ଓ ତୁମ୍ଭେ ଆପଣା ପ୍ରାଣ ରକ୍ଷା କରିବ।”

22ଏଥିଉତ୍ତାରେ ସେହି ସ୍ଥାନରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଅଧିଷ୍ଠାନ କଲା; ପୁଣି, ସେ ମୋତେ କହିଲେ, “ତୁମ୍ଭେ ଉଠି ପଦାଭୂମିକୁ ବାହାରି ଯାଅ, ଆଉ ଆମ୍ଭେ ସେଠାରେ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବା!” 23ତହିଁରେ ମୁଁ ଉଠି ପଦାଭୂମିକୁ ବାହାରିଗଲି; ଆଉ ଦେଖ, କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ତାହାର ତୁଲ୍ୟ ସଦାପ୍ରଭୁଙ୍କର ମହିମା ସେହି ସ୍ଥାନରେ ଉପସ୍ଥିତ ହେଲା; ତହୁଁ ମୁଁ ଉବୁଡ଼ ହେଲି। 24ତହିଁରେ ପରମେଶ୍ୱରଙ୍କ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ପୁଣି, ସେ ମୋʼ ସଙ୍ଗେ କଥାବାର୍ତ୍ତା କରି ମୋତେ କହିଲେ, “ଯାଅ, ତୁମ୍ଭେ ଆପଣା ଗୃହ ଭିତରେ ଆପଣାକୁ ରୁଦ୍ଧ କରି ରଖ। 25ମାତ୍ର ହେ ମନୁଷ୍ୟ-ସନ୍ତାନ, ଦେଖ, ଲୋକମାନେ ତୁମ୍ଭ ଉପରେ ରଜ୍ଜୁ ଦେଇ ତଦ୍ଦ୍ୱାରା ତୁମ୍ଭକୁ ବାନ୍ଧିବେ, ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ; 26ପୁଣି, ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ତହିଁରେ ତୁମ୍ଭେ ଘୁଙ୍ଗା ହେବ ଓ ସେମାନଙ୍କର ଭର୍ତ୍ସନାକାରୀ ହେବ ନାହିଁ; କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି। 27ମାତ୍ର ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ସମୟରେ ତୁମ୍ଭ ମୁଖ ଫିଟାଇବା, ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି;’ ଯେ ଶୁଣେ, ସେ ଶୁଣୁ ଓ ଯେ ନ ଶୁଣେ, ସେ ନ ଶୁଣୁ; କାରଣ ସେମାନେ ବିଦ୍ରୋହୀ ବଂଶ!”