ଯିରୂଶାଲମ ପତନର ସମ୍ବାଦ
21ଏଥିଉତ୍ତାରେ ଆମ୍ଭମାନଙ୍କ ନିର୍ବାସନର ଦ୍ୱାଦଶ ବର୍ଷର ଦଶମ ମାସର ପଞ୍ଚମ ଦିନରେ ଯିରୂଶାଲମରୁ ପଳାତକ ଏକ ଜଣ ମୋʼ ନିକଟକୁ ଆସି କହିଲା, “ନଗର ପରାଜିତ ହୋଇଅଛି।” 22ସେହି ପଳାତକ ଆସିବାର ପୂର୍ବେ ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ଥିଲା; ଆଉ, ପ୍ରାତଃକାଳରେ ସେ ପଳାତକ ଆସିବା ପର୍ଯ୍ୟନ୍ତ ସେ ମୋର ମୁଖ ଫିଟାଇଥିଲେ; ତେବେଠାରୁ ମୋର ମୁଖ ଫିଟା ରହିଲା ଓ ଆଉ ମୁଁ ଘୁଙ୍ଗା ହୋଇ ରହିଲି ନାହିଁ।
23ଏଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; 24“ହେ ମନୁଷ୍ୟ-ସନ୍ତାନ, ଯେଉଁମାନେ ଇସ୍ରାଏଲ ଦେଶର, ସେହି ସକଳ ଉତ୍ସନ୍ନ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ଅବ୍ରହାମ ଏକମାତ୍ର ଥିଲେ, ଆଉ ସେ ଦେଶ ଅଧିକାର କଲେ; ମାତ୍ର ଆମ୍ଭେମାନେ ଅନେକ ଲୋକ; ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦତ୍ତ ହୋଇଅଛି। 25ଏଥିପାଇଁ ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ରକ୍ତ ସହିତ ମାଂସ ଖାଉଅଛ ଓ ଆପଣା ଆପଣା ପ୍ରତିମାଗଣ ପ୍ରତି ଦୃଷ୍ଟି ଟେକୁଅଛ ଓ ରକ୍ତପାତ କରୁଅଛ; ଆଉ, ତୁମ୍ଭେମାନେ କି ଦେଶ ଅଧିକାର କରିବ? 26ତୁମ୍ଭେମାନେ ଆପଣା ଆପଣା ଖଡ୍ଗରେ ନିର୍ଭର କରୁଅଛ ଓ ଘୃଣାଯୋଗ୍ୟ କର୍ମ କରୁଅଛ ଓ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଅଶୁଚି କରୁଅଛ, ଆଉ ତୁମ୍ଭେମାନେ କି ଦେଶ ଅଧିକାର କରିବ? 27ଏହି ପ୍ରକାରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଜୀବିତ ଥିବା ପ୍ରମାଣେ ଉତ୍ସନ୍ନ ସ୍ଥାନ ସକଳରେ ଥିବା ଲୋକମାନେ ନିଶ୍ଚୟ ଖଡ୍ଗ ଦ୍ୱାରା ପତିତ ହେବେ ଓ ଯେଉଁ ଜନ ପଡ଼ିଆରେ ଅଛି, ଆମ୍ଭେ ତାହାକୁ ଭକ୍ଷ୍ୟ ରୂପେ ପଶୁମାନଙ୍କୁ ଦେବା, ଆଉ ଯେଉଁମାନେ ଦୃଢ଼ ଦୁର୍ଗରେ ଓ ଗୁହାରେ ଥାʼନ୍ତି, ସେମାନେ ମହାମାରୀରେ ମରିବେ। 28ପୁଣି, ଆମ୍ଭେ ଦେଶକୁ ଧ୍ୱଂସିତ ଓ ବିସ୍ମୟର ସ୍ଥାନ କରିବା, ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହେବ; ପୁଣି, ଇସ୍ରାଏଲର ପର୍ବତଗଣ ଧ୍ୱଂସିତ ହେବ, ତହିଁରେ କେହି ତହିଁ ମଧ୍ୟଦେଇ ଗମନ କରିବେ ନାହିଁ। 29ଆମ୍ଭେ ସେମାନଙ୍କର କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେତେବେଳେ ଦେଶକୁ ଧ୍ୱଂସିତ ଓ ନିର୍ଜନ ସ୍ଥାନ କରିବା, ସେତେବେଳେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।


