ଭିତର ପ୍ରାଙ୍ଗଣ

28ଏଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ୱାର ମାପିଲେ; 29ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ଆଉ, ତହିଁରେ ଓ ତହିଁର ମଣ୍ଡପରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ପଚାଶ ହାତ ଦୀର୍ଘ ଓ ପଚିଶ ହାତ ପ୍ରସ୍ଥ ଥିଲା। 30ପୁଣି, ତହିଁର ଚାରିଆଡ଼େ ପଚିଶ ହାତ ଦୀର୍ଘ ପାଞ୍ଚ ହାତ ପ୍ରସ୍ଥ ମଣ୍ଡପ ଥିଲା। 31ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଉପରେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ଆଉ, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।

32ଏଥିଉତ୍ତାରେ ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ୱାର ମାପିଲେ। 33ଆଉ, ତହିଁର କ୍ଷୁଦ୍ର କୋଠରି ଓ ଉପସ୍ତମ୍ଭ ଓ ମଣ୍ଡପସକଳ ସେହି ପରିମାଣାନୁସାରେ ମାପିଲେ; ପୁଣି, ତହିଁରେ ଓ ତହିଁର ମଣ୍ଡପସକଳର ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ। 34ଆଉ, ତହିଁର ମଣ୍ଡପସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭସକଳର ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।

35ତହୁଁ ସେ ମୋତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ; 36ତହିଁର କ୍ଷୁଦ୍ର କୋଠରି, ଉପସ୍ତମ୍ଭ ଓ ମଣ୍ଡପସକଳ ମାପିଲେ; ଆଉ, ତହିଁରେ ଚାରିଆଡ଼େ ଜଳାକବାଟି ଥିଲା; ତାହା ଦୀର୍ଘରେ ପଚାଶ ହାତ ଓ ପ୍ରସ୍ଥରେ ପଚିଶ ହାତ। 37ପୁଣି, ତହିଁର ଉପସ୍ତମ୍ଭସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା; ଆଉ, ସେହି ଉପସ୍ତମ୍ଭସକଳର ଉପରେ ଏପାଖେ ସେପାଖେ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା; ପୁଣି, ତହିଁ ଉପରକୁ ଯିବା ପାଇଁ ଆଠଟି ପାବଚ୍ଛ ଥିଲା।

38ପୁଣି, ଦ୍ୱାରମାନର ନିକଟସ୍ଥ ଉପସ୍ତମ୍ଭସକଳର ପାଖରେ ଦ୍ୱାରବିଶିଷ୍ଟ ଏକ କୋଠରି ଥିଲା; ସେଠାରେ ସେମାନେ ହୋମବଳି ଧୌତ କଲେ 39ଆଉ, ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଧ କରିବା ପାଇଁ ଦ୍ୱାର ବାରଣ୍ଡାର ଏପାଖରେ ଦୁଇ ମେଜ ଓ ସେପାଖରେ ଦୁଇ ମେଜ ଥିଲା। 40ପୁଣି, ଦ୍ୱାରର ପାର୍ଶ୍ୱରେ ବାହାରେ ଓ ଉତ୍ତର ଦ୍ୱାର ଉପରକୁ ଯିବାର ପ୍ରବେଶ ସ୍ଥାନ ନିକଟରେ ଏପାଖରେ ଦୁଇ ମେଜ ଥିଲା ଓ ଦ୍ୱାର ବାରଣ୍ଡାର ସେପାଖରେ ଦୁଇ ମେଜ ଥିଲା; 41ଦ୍ୱାର ପାର୍ଶ୍ୱର ଏପାଖରେ ଚାରି ମେଜ, ସେପାଖରେ ଚାରି ମେଜ ଥିଲା; ଏହିରୂପେ ଆଠ ମେଜ ଥିଲା, ତହିଁ ଉପରେ ବଳି ବଧ କରାଗଲା। 42ଆଉ, ହୋମବଳି ନିମନ୍ତେ କଟା ପ୍ରସ୍ତରର ଚାରି ମେଜ ଥିଲା, ତହିଁର ଦୀର୍ଘତା ଦେଢ଼ ହାତ ଓ ପ୍ରସ୍ଥ ଦେଢ଼ ହାତ ଓ ଉଚ୍ଚ ଏକ ହାତ; ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତ୍ତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖାଗଲା। 43ପୁଣି, ଚାରି ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା; ଆଉ, ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା।

44ଆଉ, ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରି ଥିଲା, ସେହି ସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେହି ସବୁର ମୁଖ ଦକ୍ଷିଣ ପ୍ରତି ଥିଲା; ପୂର୍ବ-ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରିର ମୁଖ ଉତ୍ତର ପ୍ରତି ଥିଲା। 45ପୁଣି, ସେ ମୋତେ କହିଲେ, “ଏହି ଦକ୍ଷିଣାଭିମୁଖ କୋଠରିଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। 46ଆଉ, ଯେଉଁ କୋଠରିର ମୁଖ ଉତ୍ତର ଆଡ଼େ ଅଛି, ତାହା ଯଜ୍ଞବେଦିର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି; ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟକୁ ଆସନ୍ତି।”