ଅଧିପତିଙ୍କ ଦ୍ୱାର

1ଏଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ, ପୁଣି, ଦ୍ୱାର ବନ୍ଦ ଥିଲା। 2ପୁଣି, ସଦାପ୍ରଭୁ ମୋତେ କହିଲେ, “ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଅବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି; ଏଥିପାଇଁ ତାହା ବନ୍ଦ ରହିବ। 3କେବଳ ଅଧିପତି, ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ; ସେ ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।”

4ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି। 5ପୁଣି, ସଦାପ୍ରଭୁ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ସଦାପ୍ରଭୁଙ୍କ ଗୃହର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ଆମ୍ଭେ ତୁମ୍ଭକୁ କହିଅଛୁ, ତୁମ୍ଭେ ଉତ୍ତମ ରୂପେ ମନୋଯୋଗ କରି ତାହା ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ଗୃହରେ ପ୍ରବେଶ କରିବାର ଓ ପବିତ୍ର ସ୍ଥାନରୁ ବାହାରିବାର ସକଳ ବିଷୟରେ ଉତ୍ତମ ରୂପେ ମନୋଯୋଗ କର। 6ପୁଣି, ତୁମ୍ଭେ ବିଦ୍ରୋହୀମାନଙ୍କୁ, ଅର୍ଥାତ୍‍, ଇସ୍ରାଏଲ ବଂଶକୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ହେ ଇସ୍ରାଏଲ ବଂଶ, ତୁମ୍ଭମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ହେଉ, 7କାରଣ ତୁମ୍ଭେମାନେ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ ବିଦେଶୀୟ ଲୋକମାନଙ୍କୁ ଆମ୍ଭ ପବିତ୍ର ସ୍ଥାନରେ ରହିବା ପାଇଁ ତୁମ୍ଭେମାନେ ଆମ୍ଭର ଭକ୍ଷ୍ୟ, ମେଦ ଓ ରକ୍ତ ଉତ୍ସର୍ଗ କଲା ବେଳେ ଆମ୍ଭର ସେହି ଗୃହକୁ ଅପବିତ୍ର କରିବା ପାଇଁ ସେମାନଙ୍କୁ ଭିତରକୁ ଆଣିଅଛ ଓ ତୁମ୍ଭମାନଙ୍କର ଅଧର୍ମସକଳ ବୃଦ୍ଧି କରିବା ନିମନ୍ତେ ସେମାନେ ଆମ୍ଭର ନିୟମ ଭଗ୍ନ କରିଅଛନ୍ତି। 8ପୁଣି, ତୁମ୍ଭେମାନେ ଆମ୍ଭର ପବିତ୍ର ବସ୍ତୁସକଳର ରକ୍ଷଣୀୟ ରକ୍ଷା କରି ନାହଁ, ମାତ୍ର ତୁମ୍ଭେମାନେ ଆମ୍ଭର ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବା ପାଇଁ ଆପଣାମାନଙ୍କ ନିମନ୍ତେ ରକ୍ଷକ ନିଯୁକ୍ତ କରିଅଛ।

9ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଯେସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନ୍ନତ ହୃଦୟ ଓ ଅସୁନ୍ନତ ମାଂସବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ।