ଦେଶରେ ସଦାପ୍ରଭୁଙ୍କ ଅଂଶ
1ଆହୁରି, ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେହି ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ; ତହିଁର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ହାତ ହେବ; ତାହା ଚତୁର୍ଦ୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ। 2ତହିଁ ମଧ୍ୟରୁ ପାଞ୍ଚ ଶହ ନଳ ଦୀର୍ଘ, ପାଞ୍ଚ ଶହ ଦଣ୍ଡ ପ୍ରସ୍ଥ ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ ପଚାଶ ହାତ ପରିମିତ ତଳଭୂମି ରହିବ। 3ଆଉ, ଏହି ପରିମିତ ଅଂଶରୁ ତୁମ୍ଭେ ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି ମାପିବ; ପୁଣି, ତହିଁ ମଧ୍ୟରେ ଧର୍ମଧାମ, ମହାପବିତ୍ର ସ୍ଥାନ ହେବ। 4ଦେଶର ଏହି ଅଂଶ ପବିତ୍ର ଅଟେ; ଯେଉଁ ଯାଜକମାନେ, ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ। 5ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରି ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।
6ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶ ହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।


