ମନ୍ଦିରରୁ ନିର୍ଗତ ହେଉଥିବା ଝରଣା

1ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା। 2ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ, ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ; ଆଉ ଦେଖ, ସେହି ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା। 3ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜ୍ଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ ଏକ ହଜାର ହାତ ମାପିଲେ, ପୁଣି, ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ବଳାଗଣ୍ଠି ପର୍ଯ୍ୟନ୍ତ ହେଲା। 4ପୁନର୍ବାର ସେ ଏକ ହଜାର ହାତ ମାପିଲେ ଓ ମୋତେ ଜଳ ମଧ୍ୟଦେଇ ଗମନ କରାଇଲେ, ଜଳ ଆଣ୍ଠୁ ପର୍ଯ୍ୟନ୍ତ ହେଲା। ପୁନର୍ବାର ସେ ଏକ ହଜାର ହାତ ମାପିଲେ, ଜଳ ମଧ୍ୟଦେଇ ମୋତେ ଗମନ କରାଇଲେ, ଜଳ କଟି ପର୍ଯ୍ୟନ୍ତ ହେଲା। 5ତହିଁ ଉତ୍ତାରେ ସେ ଏକ ହଜାର ହାତ ମାପିଲେ; ସେତେବେଳେ ତାହା ଗୋଟିଏ ନଦୀ ହେଲା, ମୁଁ ତହିଁ ମଧ୍ୟଦେଇ ଗମନ କରି ପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା, ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା। 6ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ କି ଏହା ଦେଖିଲ?”

ତହିଁରେ ସେ ମୋତେ ଫେରାଇ ନଦୀତୀରକୁ ଆଣିଲେ। 7ମୁଁ ଫେରି ଆସିଲା ବେଳେ ଦେଖ, ନଦୀତୀରର ଏପାଖରେ ଓ ସେପାଖରେ ଅନେକ ଅନେକ ବୃକ୍ଷ ଥିଲା। 8ତହିଁରେ ସେ ମୋତେ କହିଲେ, “ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ; ଆଉ, ତାହା ସମୁଦ୍ର ଆଡ଼କୁ ଯିବ; ଯେଉଁ ଜଳସବୁ ନିର୍ଗତ ହେଲା, ତାହାସବୁ ସମୁଦ୍ରରେ ପ୍ରବେଶ କରିବ; ତହୁଁ ସେ ଜଳ ଉତ୍ତମ ହେବ। 9ପୁଣି, ଏହି ନଦୀସବୁ ଯେସକଳ ସ୍ଥାନ ଦେଇ ବହିବ, ସେସ୍ଥାନସ୍ଥିତ ବହୁସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେହି ସ୍ଥାନରେ ଅପାର ମତ୍ସ୍ୟ ହେବେ; କାରଣ ଏହିସବୁ ଜଳ ସେସ୍ଥାନକୁ ଆସିଅଛି ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ। 10ଆଉ, ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ; ଐନଗଦୀଠାରୁ ଐନଇଗ୍ଳଇମ୍‍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ ଓ ମତ୍ସ୍ୟସବୁ ସ୍ୱ ସ୍ୱ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ। 11ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲ ଭୂମିସକଳ ଉତ୍ତମ ହେବ ନାହିଁ; ସେହି ସବୁ ଲବଣ ପାଇଁ ସମର୍ପିତ ହେବ। 12ଆଉ, ନଦୀ ନିକଟରେ ତହିଁର ତୀର ଉପରେ, ଏପାଖରେ ଓ ସେପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ, ତହିଁର ପତ୍ର ମଳିନ ହେବ ନାହିଁ, କିଅବା ତହିଁର ଫଳର ଅଭାବ ହେବ ନାହିଁ; ସେହି ଜଳସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ସକାଶୁ ବୃକ୍ଷ ପ୍ରତି ମାସ ନୂତନ ଫଳ ଫଳିବ ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ।”