ସଦାପ୍ରଭୁଙ୍କ କ୍ରୋଧର ଦିନ

1ଆହୁରି, ସଦାପ୍ରଭୁଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; 2“ହେ ମନୁଷ୍ୟ-ସନ୍ତାନ, ପ୍ରଭୁ, ସଦାପ୍ରଭୁ ଇସ୍ରାଏଲ ଦେଶ ପ୍ରତି କହନ୍ତି;

ଅନ୍ତିମକାଳ, ଦେଶର ଚାରି କୋଣରେ ଅନ୍ତିମକାଳ ଉପସ୍ଥିତ ହୋଇଅଛି।

3ଏବେ ତୁମ୍ଭର ଅନ୍ତିମକାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା

ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

4ଆମ୍ଭେ ତୁମ୍ଭ ପ୍ରତି ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଆମ୍ଭେ ଦୟା କରିବା ନାହିଁ; ମାତ୍ର ତୁମ୍ଭ ଆଚରଣର ଫଳ ଆମ୍ଭେ ତୁମ୍ଭ ଉପରେ ବର୍ତ୍ତାଇବା

ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସବୁ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।

5ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି;

ଅମଙ୍ଗଳ ହିଁ ଅମଙ୍ଗଳ; ଦେଖ, ତାହା ଆସୁଅଛି।

6ଅନ୍ତିମକାଳ ଉପସ୍ଥିତ, ସେହି ଅନ୍ତିମକାଳ ଉପସ୍ଥିତ, ତାହା ତୁମ୍ଭ ବିରୁଦ୍ଧରେ ଜାଗି ଉଠୁଅଛି; ଦେଖ, ତାହା ଆସୁଅଛି।

7ହେ ଦେଶ ନିବାସୀ ଲୋକ, ତୁମ୍ଭର ଶେଷ ବିଚାରାଜ୍ଞା ଉପସ୍ଥିତ,

ସେହି ସମୟ ଉପସ୍ଥିତ, ସେହି ଦିନ ସନ୍ନିକଟ; ତାହା କୋଳାହଳର ଦିନ ଓ ପର୍ବତଗଣ ଉପରେ ଆନନ୍ଦ ଧ୍ୱନିର ଦିନ ନୁହେଁ।

8ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳି ଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା,

ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।

9ପୁଣି, ଆମ୍ଭେ ଚକ୍ଷୁଲଜ୍ଜା କରିବା ନାହିଁ; କିଅବା ଦୟା କରିବା ନାହିଁ; ଆମ୍ଭେ ତୁମ୍ଭର ଆଚରଣାନୁସାରେ ତୁମ୍ଭ ଉପରେ ଫଳ ବର୍ତ୍ତାଇବା

ଓ ତୁମ୍ଭର ଘୃଣାଯୋଗ୍ୟ କ୍ରିୟାସକଳ ତୁମ୍ଭ ମଧ୍ୟରେ ରହିବ; ତହିଁରେ ଆମ୍ଭେ ସଦାପ୍ରଭୁ ଆଘାତ କରୁ, ଏହା ତୁମ୍ଭେମାନେ ଜାଣିବ।

10ଦେଖ, ସେହି ଦିନ, ଦେଖ, ତାହା ଆସୁଅଛି; ତୁମ୍ଭର ଶେଷ ବିଚାରାଜ୍ଞା ନିର୍ଗତ ହେଲା;

ଯଷ୍ଟି ପୁଷ୍ପିତ ହୋଇଅଛି, ଅହଙ୍କାର ଅଙ୍କୁରିତ ହୋଇଅଛି।

11ଦୌରାତ୍ମ୍ୟ ବଢ଼ି ଉଠି ଦୁଷ୍ଟତାରୂପ ଯଷ୍ଟି ହୋଇଅଛି;

ସେମାନଙ୍କର କେହି କିଅବା ସେମାନଙ୍କର ଲୋକସମୂହ କିଅବା ସେମାନଙ୍କର ଧନ ରହିବ ନାହିଁ; ଅଥବା ସେମାନଙ୍କ ମଧ୍ୟରେ ଶ୍ରେଷ୍ଠତା ରହିବ ନାହିଁ।

12ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ

ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ।

13ଯେହେତୁ ସେମାନେ ଜୀବିତ ଥିଲେ ହେଁ ବିକ୍ରୟକାରୀ ବିକ୍ରୀତ ଅଧିକାରକୁ ଫେରିଯିବ ନାହିଁ;

କାରଣ ଏହି ଦର୍ଶନ ସେହି ସ୍ଥାନସ୍ଥ ସମୁଦାୟ ଲୋକସମୂହ ବିଷୟକ ଅଟେ, କେହି ଫେରିଯିବେ ନାହିଁ;

ପୁଣି, ଆପଣା ଜୀବନର ଅଧର୍ମରେ କେହି ଆପଣାକୁ ସବଳ କରିବେ ନାହିଁ।

14ସେମାନେ ତୂରୀ ବଜାଇ ସବୁ ପ୍ରସ୍ତୁତ କରିଅଛନ୍ତି; ମାତ୍ର କେହି ଯୁଦ୍ଧକୁ ଯାଏ ନାହିଁ;

କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ ଆମ୍ଭର କୋପ ଅଛି।