ଇସ୍ରାଏଲର ପାପର ଶାସ୍ତି

15ବାହାରେ ଖଡ୍ଗ, ଭିତରେ ମହାମାରୀ ଓ ଦୁର୍ଭିକ୍ଷ ଅଛି;

ଯେଉଁ ଲୋକ କ୍ଷେତ୍ରରେ ଅଛି, ସେ ଖଡ୍ଗରେ ମରିବ ଓ ଯେ ନଗର ମଧ୍ୟରେ ଅଛି, ଦୁର୍ଭିକ୍ଷ ଓ ମହାମାରୀ ତାକୁ ଗ୍ରାସ କରିବ।

16ମାତ୍ର ସେମାନଙ୍କ ମଧ୍ୟରୁ ଯେଉଁମାନେ ପଳାନ୍ତି, ସେମାନେ ରକ୍ଷା ପାଇବେ

ଓ ଉପତ୍ୟକାର ଘୁଘୁ ପରି ପର୍ବତରେ ସମସ୍ତେ ବିଳାପ କରିବେ, ପ୍ରତ୍ୟେକେ ଆପଣା ଆପଣା ଅଧର୍ମ ହେତୁ ବିଳାପ କରିବେ।

17ସମସ୍ତଙ୍କର ହସ୍ତ ଦୁର୍ବଳ ହେବ, ସମସ୍ତଙ୍କର ଆଣ୍ଠୁ ଜଳ ପରି ଦୁର୍ବଳ ହେବ।

18ମଧ୍ୟ ସେମାନେ କଟିଦେଶରେ ଚଟବସ୍ତ୍ର ବାନ୍ଧିବେ ଓ ମହାଶଙ୍କା ସେମାନଙ୍କୁ ଆଚ୍ଛନ୍ନ କରିବ;

ଆଉ, ସମସ୍ତଙ୍କ ମୁଖ ଲଜ୍ଜିତ ହେବ ଓ ସମସ୍ତଙ୍କର ମସ୍ତକ ଟାଙ୍ଗରା ହେବ।

19ସେମାନେ ଆପଣା ଆପଣା ରୂପା ଦାଣ୍ଡରେ ପକାଇଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ;

ସଦାପ୍ରଭୁଙ୍କ କୋପର ଦିନରେ ସେମାନଙ୍କର ରୂପା ଓ ସୁନା ସେମାନଙ୍କୁ ରକ୍ଷା କରି ପାରିବ ନାହିଁ;

ତାହା ସେମାନଙ୍କ ପ୍ରାଣକୁ ତୃପ୍ତ କିଅବା ଉଦର ପୂର୍ଣ୍ଣ କରିବ ନାହିଁ; କାରଣ ତାହା ହିଁ ସେମାନଙ୍କର ଅଧର୍ମଜନକ ବିଘ୍ନ ହୋଇଅଛି।

20ସେ ଆପଣାର ଶୋଭାରୂପ ଅଳଙ୍କାର ମହତ୍ତ୍ୱରେ ସ୍ଥାପନ କଲେ; ମାତ୍ର ସେମାନେ ତହିଁ ମଧ୍ୟରେ ଆପଣାମାନଙ୍କର ଅଶୁଚି ଓ ଘୃଣାଯୋଗ୍ୟ ପ୍ରତିମାଗଣ ନିର୍ମାଣ କଲେ;

ଏହେତୁ ଆମ୍ଭେ ତାହା ସେମାନଙ୍କ ପ୍ରତି ଅଶୁଚି ବସ୍ତୁ ସ୍ୱରୂପ କରିଅଛୁ।

21ପୁଣି, ଆମ୍ଭେ ତାହା ମୃଗୟା ସ୍ୱରୂପେ ବିଦେଶୀମାନଙ୍କର ଓ ଲୁଟିତ ଦ୍ରବ୍ୟ ସ୍ୱରୂପେ ପୃଥିବୀର ଦୁଷ୍ଟମାନଙ୍କ ହସ୍ତରେ ସମର୍ପଣ କରିବା;

ତହିଁରେ ସେମାନେ ତାହା ଅପବିତ୍ର କରିବେ।

22ଆହୁରି, ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଫେରାଇବା, ତହିଁରେ ସେମାନେ ଆମ୍ଭର ନିଭୃତ ସ୍ଥାନ ଅପବିତ୍ର କରିବେ;

ଆଉ, ଡକାୟତମାନେ ତହିଁ ମଧ୍ୟରେ ପ୍ରବେଶ କରି ତାହା ଅପବିତ୍ର କରିବେ।

23ଶିକୁଳି ପ୍ରସ୍ତୁତ କର; କାରଣ ରକ୍ତପାତରୂପ ଅପରାଧରେ ଦେଶ ପରିପୂର୍ଣ୍ଣ

ଓ ଦୌରାତ୍ମ୍ୟରେ ନଗର ପରିପୂର୍ଣ୍ଣ ଅଟେ।

24ଏଥିପାଇଁ ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଦୁଷ୍ଟତମ ଲୋକଙ୍କୁ ଆଣିବା, ତହିଁରେ ସେମାନେ ଏମାନଙ୍କର ଗୃହସବୁ ଅଧିକାର କରିବେ;

ମଧ୍ୟ ଆମ୍ଭେ ବଳବାନମାନଙ୍କର ଦର୍ପ ଚୂର୍ଣ୍ଣ କରିବା; ତହିଁରେ ସେମାନଙ୍କର ପବିତ୍ର ସ୍ଥାନସବୁ ଅପବିତ୍ର ହେବ।

25ବିନାଶ ଆସୁଅଛି; ସେମାନେ ଶାନ୍ତି ଅନ୍ଵେଷଣ କରିବେ; ପୁଣି, କିଛି ପାଇବେ ନାହିଁ।

26ବିପଦ ଉପରେ ବିପଦ ଘଟିବ ଓ ଜନରବ ଉପରେ ଜନରବ ହେବ;

ତହିଁରେ ସେମାନେ ଭବିଷ୍ୟଦ୍‍ବକ୍ତାର ନିକଟରେ ଦର୍ଶନର ଚେଷ୍ଟା କରିବେ; ମାତ୍ର ଯାଜକର ବ୍ୟବସ୍ଥା-ଜ୍ଞାନ ଓ ପ୍ରାଚୀନ ଲୋକମାନଙ୍କର ପରାମର୍ଶ ଲୋପ ପାଇବ।

27ରାଜା ଶୋକ କରିବ ଓ ଅଧିପତି ଉତ୍ସନ୍ନତାରୂପ ବସ୍ତ୍ରରେ ପରିହିତ ହେବ

ଓ ଦେଶସ୍ଥ ଲୋକମାନଙ୍କର ହସ୍ତ କମ୍ପିତ ହେବ; ଆମ୍ଭେ ସେମାନଙ୍କର ଆଚରଣାନୁସାରେ ସେମାନଙ୍କ ପ୍ରତି ବ୍ୟବହାର କରିବା

ଓ ସେମାନଙ୍କର ଯୋଗ୍ୟତାନୁସାରେ ସେମାନଙ୍କର ବିଚାର କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”