ମନ୍ଦିର ଉତ୍ସର୍ଗିତ
13ତହିଁରେ ଦାରୀୟାବସ ରାଜା ଏହି ଆଜ୍ଞା ପଠାଇବାରୁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ତତ୍ତନୟ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଅତି ଯତ୍ନପୂର୍ବକ ତଦନୁସାରେ କର୍ମ କଲେ। 14ଏଥିରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କର ଓ ଇଦ୍ଦୋର ପୁତ୍ର ଯିଖରୀୟଙ୍କ ଭବିଷ୍ୟଦ୍ବାକ୍ୟ ସହକାରେ ଯିହୁଦୀୟ ପ୍ରାଚୀନବର୍ଗ ମନ୍ଦିରକୁ ନିର୍ମାଣ କଲେ ଓ କୃତକାର୍ଯ୍ୟ ହେଲେ। ଆଉ, ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ଆଜ୍ଞାନୁସାରେ ଓ ପାରସ୍ୟ ରାଜା କୋରସ୍ ଓ ଦାରୀୟାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞାନୁସାରେ ନିର୍ମାଣ କରି ସମାପ୍ତ କଲେ। 15ଦାରୀୟାବସ ରାଜାର ରାଜତ୍ଵର ଷଷ୍ଠ ବର୍ଷରେ ଅଦର ନାମକ ମାସର ତୃତୀୟ ଦିନରେ ଏହି ଗୃହ ସମାପ୍ତ ହେଲା।
16ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ଯାଜକମାନେ ଓ ଲେବୀୟମାନେ ଓ ବନ୍ଦୀତ୍ୱର ଅବଶିଷ୍ଟ ସନ୍ତାନଗଣ ଆନନ୍ଦରେ ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା-ଉତ୍ସବ ପାଳନ କଲେ। 17ପୁଣି, ପରମେଶ୍ୱରଙ୍କ ଏହି ଗୃହର ପ୍ରତିଷ୍ଠା ସମୟରେ ସେମାନେ ଏକ ଶହ ବୃଷ, ଦୁଇ ଶହ ମେଷ, ଚାରି ଶହ ମେଷଶାବକ ଉତ୍ସର୍ଗ କଲେ; ଆଉ, ସମଗ୍ର ଇସ୍ରାଏଲର ପାପାର୍ଥକ ବଳିଦାନ ନିମନ୍ତେ ଇସ୍ରାଏଲୀୟ ଗୋଷ୍ଠୀର ସଂଖ୍ୟାନୁସାରେ ବାରଗୋଟି ଛାଗ ଉତ୍ସର୍ଗ କଲେ। 18ପୁଣି, ସେମାନେ ମୋଶା-ପୁସ୍ତକର ଲିଖନାନୁସାରେ ଯିରୂଶାଲମରେ ପରମେଶ୍ୱରଙ୍କ ସେବାର୍ଥେ ଯାଜକମାନଙ୍କୁ ସେମାନଙ୍କ ବିଭାଗାନୁସାରେ ଓ ଲେବୀୟମାନଙ୍କୁ ସେମାନଙ୍କ ପାଳି ଅନୁସାରେ ନିଯୁକ୍ତ କଲେ।


