ଯିରୂଶାଲମରେ ଏଜ୍ରା ଅଧ୍ୟାପକ

1ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା; ଉକ୍ତ ସରାୟ ଅସରୀୟର ସନ୍ତାନ, ଅସରୀୟ ହିଲ୍‍କୀୟର ସନ୍ତାନ, 2ହିଲ୍‍କୀୟ ଶଲ୍ଲୁମ୍‍ର ସନ୍ତାନ, ଶଲ୍ଲୁମ୍‍ ସାଦୋକର ସନ୍ତାନ, ସାଦୋକ ଅହୀଟୂବ୍‍ର ସନ୍ତାନ, 3ଅହୀଟୂବ୍‍ ଅମରୀୟର ସନ୍ତାନ, ଅମରୀୟ ଅସରୀୟର ସନ୍ତାନ, ଅସରୀୟ ମରାୟୋତ୍‍ର ସନ୍ତାନ, 4ମରାୟୋତ୍‍ ସରହୀୟର ସନ୍ତାନ, ସରହୀୟ ଉଷିର ସନ୍ତାନ, ଉଷି ବୁକ୍କିର ସନ୍ତାନ, 5ବୁକ୍କି ଅବୀଶୂୟର ସନ୍ତାନ, ଅବୀଶୂୟ ପୀନହସ୍‍ର ସନ୍ତାନ, ପୀନହସ୍‍ ଇଲୀୟାସରର ସନ୍ତାନ, ଇଲିୟାସର ପ୍ରଧାନ ଯାଜକ ହାରୋଣଙ୍କର ପୁତ୍ର। 6ଏହି ଏଜ୍ରା ବାବିଲରୁ ପ୍ରସ୍ଥାନ କଲେ; ସେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋଶାଙ୍କ ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲେ; ପୁଣି, ତାଙ୍କ ପ୍ରତି ତାଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାଙ୍କୁ ପ୍ରଦାନ କଲେ।

7ଆଉ, ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବୀୟମାନଙ୍କର କେତେକ ଲୋକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଯିରୂଶାଲମକୁ ଗଲେ। 8ଆଉ, ଏଜ୍ରା ପଞ୍ଚମ ମାସରେ, ଅର୍ଥାତ୍‍, ରାଜାର ସେହି ସପ୍ତମ ବର୍ଷରେ ଯିରୂଶାଲମରେ ଉପସ୍ଥିତ ହେଲେ। 9କାରଣ, ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲେ, ପୁଣି ତାଙ୍କ ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଯିରୂଶାଲମରେ ଉପସ୍ଥିତ ହେଲେ। 10ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ, ପୁଣି ଇସ୍ରାଏଲ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲେ।