ନିର୍ବାସିତ ଲୋକଙ୍କ ବଂଶାବଳୀ
1ଅର୍ତ୍ତକ୍ଷସ୍ତ ରାଜାର ଅଧିକାର ସମୟରେ ଆପଣା ଆପଣା ପିତୃବଂଶର ଯେଉଁ ପ୍ରଧାନବର୍ଗ ଆମ୍ଭ ସଙ୍ଗେ ବାବିଲରୁ ଯାତ୍ରା କଲେ, ସେମାନଙ୍କର ବଂଶାବଳୀ ଏହି, ଯଥା, 2ପୀନହସ୍ର ସନ୍ତାନଗଣ ମଧ୍ୟରୁ ଗେର୍ଶୋମ; ଈଥାମରର ସନ୍ତାନଗଣ ମଧ୍ୟରୁ ଦାନିୟେଲ; ଦାଉଦଙ୍କର ସନ୍ତାନଗଣ ମଧ୍ୟରୁ ହଟୂଶ୍। 3ଶଖନୀୟର ସନ୍ତାନଗଣ ମଧ୍ୟରୁ; ପରିୟୋଶର ସନ୍ତାନଗଣ ମଧ୍ୟରୁ ଜିଖରୀୟ ଓ ପୁରୁଷମାନଙ୍କ ବଂଶାବଳୀ କ୍ରମେ ତାହା ସଙ୍ଗେ ଗଣିତ ଏକ ଶହ ପଚାଶ ଜଣ। 4ପହତ୍-ମୋୟାବର ସନ୍ତାନଗଣ ମଧ୍ୟରୁ ସରହୀୟର ପୁତ୍ର ଇଲୀହୋଐନୟ ଓ ତାହା ସଙ୍ଗେ ଦୁଇ ଶହ ପୁରୁଷ। 5ଶଖନୀୟର ସନ୍ତାନଗଣ ମଧ୍ୟରୁ ଯହସୀୟେଲର ପୁତ୍ର; ତାହା ସଙ୍ଗେ ତିନି ଶହ ପୁରୁଷ। 6ଆଉ, ଆଦୀନର ସନ୍ତାନଗଣ ମଧ୍ୟରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଚାଶ ପୁରୁଷ। 7ପୁଣି, ଏଲମ୍ର ସନ୍ତାନଗଣ ମଧ୍ୟରୁ ଅଥଲୀୟର ପୁତ୍ର ଯିଶାୟାହ ଓ ତାହା ସଙ୍ଗେ ସତୁରି ପୁରୁଷ। 8ଆଉ, ଶଫଟୀୟର ସନ୍ତାନଗଣ ମଧ୍ୟରୁ ମୀଖାୟେଲର ପୁତ୍ର ସବଦୀୟ ଓ ତାହା ସଙ୍ଗେ ଅଶୀ ପୁରୁଷ। 9ଯୋୟାବର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଓବଦୀୟ ଓ ତାହା ସଙ୍ଗେ ଦୁଇ ଶହ ଅଠର ପୁରୁଷ। 10ଆଉ, ଶଲୋମୀତ୍ର ସନ୍ତାନଗଣ ମଧ୍ୟରୁ ଯୋଷିଫୀୟର ପୁତ୍ର ଓ ତାହା ସଙ୍ଗେ ଏକ ଶହ ଷାଠିଏ ପୁରୁଷ। 11ପୁଣି, ବେବୟର ସନ୍ତାନଗଣ ମଧ୍ୟରୁ ବେବୟର ପୁତ୍ର ଜିଖରୀୟ ଓ ତାଙ୍କ ସଙ୍ଗେ ଅଠାଇଶ ପୁରୁଷ। 12ଅସ୍ଗଦର ସନ୍ତାନଗଣ ମଧ୍ୟରୁ ହକାଟନର ପୁତ୍ର ଯୋହାନନ୍ ଓ ତାହା ସଙ୍ଗେ ଏକ ଶହ ଦଶ ପୁରୁଷ। 13ଆଉ, ଅଦୋନୀକାମର ସନ୍ତାନଗଣ ମଧ୍ୟରୁ କନିଷ୍ଠମାନେ ଓ ସେମାନଙ୍କ ନାମ ଏହି, ଇଲୀଫେଲଟ୍, ଯିୟୀୟେଲ୍ ଓ ଶମୟୀୟ; ସେମାନଙ୍କ ସଙ୍ଗେ ଷାଠିଏ ପୁରୁଷ। 14ଆଉ, ବିଗ୍ବୟର ସନ୍ତାନଗଣ ମଧ୍ୟରୁ ଊଥୟ ଓ ସକ୍କୁର ଓ ସେମାନଙ୍କ ସଙ୍ଗେ ସତୁରି ପୁରୁଷ। 15ପୁଣି, ମୁଁ ଏମାନଙ୍କୁ ଅହବାଗାମିନୀ ନଦୀ ନିକଟରେ ଏକତ୍ର କଲି; ଆଉ, ସେଠାରେ ଆମ୍ଭେମାନେ ଛାଉଣି କରି ତିନି ଦିନ ରହିଲୁ; ଏଥିରେ ମୁଁ ଲୋକମାନଙ୍କୁ ଓ ଯାଜକମାନଙ୍କୁ ନିରୀକ୍ଷଣ କରି ଲେବୀର ସନ୍ତାନଗଣ ମଧ୍ୟରୁ କାହାକୁ ପାଇଲି ନାହିଁ। 16ତେବେ ମୁଁ ଇଲୀୟେଜର, ଅରୀୟେଲ, ଶମୟୀୟ, ଇଲ୍ନାଥନ୍, ଯାରିବ, ଇଲ୍ନାଥନ୍, ନାଥନ, ଜିଖରୀୟ ଓ ମଶୁଲ୍ଲମ୍, ଏହି ପ୍ରଧାନ ଲୋକମାନଙ୍କୁ; ମଧ୍ୟ ଯୋୟାରୀବ୍ ଓ ଇଲ୍ନାଥନ୍ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି। 17ଏଥିଉତ୍ତାରେ ମୁଁ ସେମାନଙ୍କୁ କାସିଫିଆ ନାମକ ସ୍ଥାନର ପ୍ରଧାନ ଲୋକ ଇଦ୍ଦୋ ନିକଟକୁ ପଠାଇଲି; ପୁଣି, ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଚାରକମାନଙ୍କୁ ଆଣ ବୋଲି କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତାହାର ଭ୍ରାତୃଗଣ ନଥୀନୀୟମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ଆଦେଶ କଲି। 18ତହୁଁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେମାନେ ଇସ୍ରାଏଲର ପୌତ୍ର, ଲେବୀର ପୁତ୍ର ମହଲିର ସନ୍ତାନଗଣ ମଧ୍ୟରୁ ଏକ ଜଣ ପ୍ରବୀଣ ଲୋକକୁ; ପୁଣି, ଶେରେବୀୟ ଓ ତାହାର ପୁତ୍ର ଓ ଭ୍ରାତୃଗଣ ସମେତ ଅଠର ଜଣକୁ; 19ଆଉ, ହଶବୀୟ ଓ ତାହା ସଙ୍ଗେ ମରାରି-ସନ୍ତାନଗଣ ମଧ୍ୟରୁ ଯିଶାୟାହ, ତାହାର ଭ୍ରାତୃଗଣ ଓ ସେମାନଙ୍କ ପୁତ୍ରଗଣ ସମେତ କୋଡ଼ିଏ ଜଣକୁ; 20ଆଉ, ଦାଉଦ ଓ ଅଧିପତିମାନେ ଯେଉଁ ନଥୀନୀୟମାନଙ୍କୁ ଲେବୀୟମାନଙ୍କ ସେବାକାର୍ଯ୍ୟ ନିମନ୍ତେ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇ ଶହ କୋଡ଼ିଏ ଜଣ ନଥୀନୀୟ ଲୋକ ଆଣିଲେ; ଏସମସ୍ତଙ୍କ ନାମ ଲିଖିତ ହେଲା।


