ମନ୍ଦିର ନିମନ୍ତେ ଉପହାର

24ତହୁଁ ମୁଁ ଯାଜକମାନଙ୍କ ମଧ୍ୟରୁ ବାର ଜଣ ପ୍ରଧାନ ଲୋକଙ୍କୁ, ଅର୍ଥାତ୍‍, ଶେରେବୀୟ, ହଶବୀୟ ଓ ସେମାନଙ୍କ ସହିତ ସେମାନଙ୍କର ଦଶ ଜଣ ଭ୍ରାତାଙ୍କୁ ପୃଥକ କଲି; 25ଆଉ, ରାଜା ଓ ତାହାର ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇସ୍ରାଏଲ ଲୋକ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ନିମନ୍ତେ ଯେଉଁ ରୂପା ଓ ସୁନା ଓ ପାତ୍ରସକଳ ଉପହାର ରୂପେ ପ୍ରଦାନ କରିଥିଲେ, ତାହା ସେମାନଙ୍କୁ ତୌଲି ଦେଲି; 26ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା; 27ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି। 28ପୁଣି, ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ପାତ୍ରସକଳ ମଧ୍ୟ ପବିତ୍ର ଅଟେ; ଆଉ, ଏହି ରୂପା ଓ ସୁନା ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସ୍ୱେଚ୍ଛାଦତ୍ତ ଉପହାର ଅଟେ। 29ସଦାପ୍ରଭୁଙ୍କ ଯିରୂଶାଲମସ୍ଥ ଗୃହର କୋଠରିରେ ପ୍ରଧାନ ଯାଜକବର୍ଗର ଓ ଲେବୀୟମାନଙ୍କର ଓ ଇସ୍ରାଏଲୀୟ ପିତୃ ବଂଶାଧିପତିମାନଙ୍କ ସାକ୍ଷାତରେ ଏହାସବୁ ତୌଲି ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ସତର୍କ ହୁଅ ଓ ଏହାସବୁ ରକ୍ଷା କର।” 30ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ। 31ଏଥିଉତ୍ତାରେ ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ପ୍ରଥମ ମାସର ଦ୍ୱାଦଶ ଦିନ ଅହବା ନଦୀ ନିକଟରୁ ପ୍ରସ୍ଥାନ କଲୁ; ଆମ୍ଭମାନଙ୍କ ପରମେଶ୍ୱରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା, ଆଉ ପଥ ମଧ୍ୟରେ ସେ ଶତ୍ରୁ ଓ ଛକି ବସିବା ଲୋକ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲେ। 32ତହିଁରେ ଆମ୍ଭେମାନେ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ବିଶ୍ରାମ କଲୁ। 33ତହୁଁ ଚତୁର୍ଥ ଦିନ ସେହି ରୂପା ଓ ସୁନା ଓ ପାତ୍ରସକଳ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରେ ତୌଲା ଯାଇ ଊରୀୟ ଯାଜକର ପୁତ୍ର ମରେମୋତ୍‍ ହସ୍ତରେ ଦିଆଗଲା; ତାହା ସଙ୍ଗେ ପୀନହସ୍‍ର ପୁତ୍ର ଇଲୀୟାସର ଥିଲା; ଆଉ, ସେମାନଙ୍କ ସଙ୍ଗେ ଯେଶୂୟର ପୁତ୍ର ଯୋଷାବଦ୍‍ ଓ ବିନ୍ନୁୟିର ପୁତ୍ର ନୋୟଦୀୟ, ଏହି ଲେବୀୟମାନେ ଥିଲେ; 34ସମଗ୍ର ଦ୍ରବ୍ୟ ଗଣିତ ଓ ପରିମିତ ହୋଇ ଦିଆଗଲା ଓ ସେହି ସମୟରେ ସେହିସବୁର ଓଜନ ଲେଖାଗଲା।

35ନିର୍ବାସନରୁ ଆଗତ ବନ୍ଦୀତ୍ୱର ସନ୍ତାନଗଣ ସମଗ୍ର ଇସ୍ରାଏଲ ନିମନ୍ତେ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ବାର ବୃଷ, ଛୟାନବେ ମେଷ, ସତସ୍ତରି ମେଷଶାବକ, ପାପାର୍ଥକ ବଳି ନିମନ୍ତେ ବାର ଛାଗ ଉତ୍ସର୍ଗ କଲେ; ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ବଳି ଥିଲା। 36ଏଥିଉତ୍ତାରେ ସେମାନେ ନଦୀ ସେପାରିସ୍ଥ ରାଜପ୍ରତିନିଧିମାନଙ୍କୁ ଓ ଦେଶାଧ୍ୟକ୍ଷମାନଙ୍କୁ ରାଜାଜ୍ଞା ପତ୍ର ସମର୍ପଣ କଲେ; ତହିଁରେ ସେମାନେ ଲୋକମାନଙ୍କର ଓ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ସାହାଯ୍ୟ କଲେ।