ଲୋକଙ୍କ ପାପ ସ୍ୱୀକାର

1ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାଙ୍କ ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ। 2ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏହି ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି। 3ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ। 4ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।” 5ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲେ। ତହିଁରେ ସେମାନେ ଶପଥ କଲେ।

6ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲୀୟାଶୀବର ପୁତ୍ର ଯିହୋହାନନ୍‍ର କୋଠରିକୁ ଗଲେ; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୁଟି ଭୋଜନ କି ଜଳ ପାନ କଲେ ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟ-ଲଙ୍ଘନ ସକାଶୁ ଶୋକ କରୁଥିଲେ। 7ଏଥିଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ; 8ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ କରାଯିବ।

9ତହୁଁ ଯିହୁଦା ଓ ବିନ୍ୟାମୀନ୍‍ର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ। 10ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସତ୍ୟ-ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ। 11ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ସନ୍ତୋଷଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।” 12ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, “ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ। 13ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏହି ବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ। 14ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏହି ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।” 15ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।

16ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ। 17ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।