ପୁନଃନିର୍ମାଣରେ ବିରୋଧ
1ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍ର ବିପକ୍ଷମାନେ ଶୁଣିଲେ। 2ସେତେବେଳେ ସେମାନେ ଯିରୁବ୍ବାବିଲ୍ ଓ ପିତୃବଂଶ ପ୍ରଧାନବର୍ଗଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭମାନଙ୍କ ସଙ୍ଗେ ନିର୍ମାଣ କରୁ; କାରଣ ଯେପରି ତୁମ୍ଭେମାନେ, ସେପରି ଆମ୍ଭେମାନେ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରୁଅଛୁ; ଆଉ, ଅଶୂରୀୟ ରାଜା ଏସର୍ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛି, ତାହାର ସମୟଠାରୁ ଆମ୍ଭେମାନେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁଅଛୁ।” 3ମାତ୍ର ଯିରୁବ୍ବାବିଲ୍ ଓ ଯେଶୂୟ ଓ ଇସ୍ରାଏଲର ଅନ୍ୟ ପିତୃବଂଶର ପ୍ରଧାନମାନେ ସେମାନଙ୍କୁ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବା ବିଷୟରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସମ୍ପର୍କ ନାହିଁ; ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ୟ ରାଜା କୋରସ୍ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭେମାନେ ଆପେ ଏକତ୍ରିତ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା।”
4ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ, 5ପୁଣି, ସେମାନଙ୍କ ଅଭିପ୍ରାୟ ବିଫଳ କରିବା ପାଇଁ ପାରସ୍ୟ ରାଜା କୋରସ୍ର ଯାବଜ୍ଜୀବନ ଓ ପାରସ୍ୟ ରାଜା ଦାରୀୟାବସଙ୍କର ଅଧିକାର ପର୍ଯ୍ୟନ୍ତ ସେମାନଙ୍କ ବିରୁଦ୍ଧରେ ମନ୍ତ୍ରଣାକାରୀମାନଙ୍କୁ ବେତନ ଦେଇ ରଖିଲେ। 6ଆଉ, ଅକ୍ଷଶ୍ୱେରଶର ସମୟରେ ତାହାର ରାଜତ୍ଵର ଆରମ୍ଭରେ ସେମାନେ ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କ ବିରୁଦ୍ଧରେ ଏକ ଅପବାଦପତ୍ର ଲେଖିଲେ।


