ଦାରୀୟାବସ ରାଜା ନିକଟକୁ ତତ୍ତନୟର ପତ୍ର
6ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ନଦୀ ସେପାରିସ୍ଥ ତାହାର ସଙ୍ଗୀ ଅଫର୍ସଖୀୟମାନଙ୍କର ଦାରୀୟାବସ ରାଜା ନିକଟକୁ ପ୍ରେରିତ ପତ୍ରର ପ୍ରତିଲିପି; 7ସେମାନେ ତାହା ନିକଟକୁ ଯେଉଁ ପତ୍ର ପଠାଇଲେ, ତହିଁରେ ଏରୂପ ଲେଖାଥିଲା; “ମହାରାଜ ଦାରୀୟାବସଙ୍କର ସର୍ବଶାନ୍ତି। 8ମହାରାଜଙ୍କ ନିକଟରେ ଜଣାଣ ଏହି ଯେ, ଆମ୍ଭେମାନେ ଯିହୁଦା ପ୍ରଦେଶରେ ମହାନ ପରମେଶ୍ୱରଙ୍କ ଗୃହକୁ ଯାଇଥିଲୁ, ତାହା ବଡ଼ ବଡ଼ ପ୍ରସ୍ତରରେ ନିର୍ମିତ ହେଉଅଛି ଓ କାନ୍ଥରେ କଡ଼ି ବସା ଯାଉଅଛି, ଆଉ ଏହି କାର୍ଯ୍ୟ ଯତ୍ନରେ ହେଉଅଛି ଓ ସେମାନଙ୍କ ହସ୍ତରେ ସଫଳ ହେଉଅଛି। 9ତେବେ ଆମ୍ଭେମାନେ ସେହି ପ୍ରାଚୀନବର୍ଗଙ୍କୁ ପଚାରି ଏହିପରି କହିଲୁ, ‘ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?’ 10ମଧ୍ୟ ଆମ୍ଭେମାନେ ଆପଣଙ୍କୁ ଜଣାଇବା ନିମନ୍ତେ ସେମାନଙ୍କ ପ୍ରଧାନବର୍ଗଙ୍କର ନାମ ଲେଖି ନେବାକୁ ସେମାନଙ୍କ ନାମ ପଚାରିଲୁ। 11ତହୁଁ ସେମାନେ ଆମ୍ଭମାନଙ୍କୁ ଏହି ଉତ୍ତର ଦେଲେ, ଆମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ପରମେଶ୍ୱରଙ୍କ ଦାସ, ପୁଣି ଏହି ଯେଉଁ ଗୃହ ନିର୍ମାଣ କରୁଅଛୁ, ଏହା ଅନେକ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, ଇସ୍ରାଏଲର ଏକ ମହାରାଜ ତାହା ନିର୍ମାଣ କରି ସମାପ୍ତ କରିଥିଲେ। 12ମାତ୍ର ଆମ୍ଭମାନଙ୍କ ପୂର୍ବପୁରୁଷଗଣ ସ୍ୱର୍ଗର ପରମେଶ୍ୱରଙ୍କୁ କୋପାନ୍ୱିତ କଲା ଉତ୍ତାରେ ସେ ସେମାନଙ୍କୁ ବାବିଲର ରାଜା କଲ୍ଦୀୟ ନବୂଖଦ୍ନିତ୍ସର ହସ୍ତରେ ସମର୍ପଣ କରନ୍ତେ, ସେ ଏହି ଗୃହ ବିନାଶ କରି ଲୋକମାନଙ୍କୁ ବାବିଲକୁ ନେଇଗଲା। 13ମାତ୍ର ବାବିଲର ରାଜା କୋରସ୍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବା ପାଇଁ କୋରସ୍ ରାଜା ଆଜ୍ଞା କଲେ। 14ଆହୁରି, ନବୂଖଦ୍ନିତ୍ସର ପରମେଶ୍ୱରଙ୍କ ଗୃହର ଯେସକଳ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲସ୍ଥ ମନ୍ଦିରକୁ ଆଣିଥିଲା, ତାହାସବୁ କୋରସ୍ ରାଜା ବାବିଲସ୍ଥ ମନ୍ଦିରରୁ ବାହାର କରିଦେଲେ, ପୁଣି ତାହାସବୁ ଶେଶବସର ନାମକ ତାଙ୍କ ନିଯୁକ୍ତ ଶାସନକର୍ତ୍ତା ହସ୍ତରେ ସମର୍ପିତ ହେଲା; 15ଆଉ, ସେ ତାହାକୁ କହିଲେ, ଏହିସବୁ ପାତ୍ର ନେଇଯାଇ ଯିରୂଶାଲମସ୍ଥ ମନ୍ଦିରରେ ରଖ ଓ ପରମେଶ୍ୱରଙ୍କ ଗୃହ ସ୍ୱ ସ୍ଥାନରେ ନିର୍ମିତ ହେଉ। 16ତହିଁରେ ସେହି ଶେଶବସର ଆସି ଯିରୂଶାଲମରେ ପରମେଶ୍ୱରଙ୍କ ଗୃହର ଭିତ୍ତିମୂଳ ସ୍ଥାପନ କଲା; ଆଉ, ସେହି ସମୟଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମିତ ହେଉଅଛି, ତଥାପି ତାହା ସମ୍ପୂର୍ଣ୍ଣ ହୋଇ ନାହିଁ। 17ଏହେତୁ ଯେବେ ମହାରାଜଙ୍କୁ ଉତ୍ତମ ଦେଖାଯାଏ, ତେବେ କୋରସ୍ ରାଜା ଯିରୂଶାଲମରେ ପରମେଶ୍ୱରଙ୍କ ଏହି ଗୃହ ନିର୍ମାଣ କରିବାର ଆଜ୍ଞା ଦେଇଥିଲେ କି ନାହିଁ, ତାହା ବାବିଲସ୍ଥ ମହାରାଜଙ୍କ ଭଣ୍ଡାର ଗୃହରେ ଅନୁସନ୍ଧାନ କରାଯାଉ, ପୁଣି ଏହି ବିଷୟରେ ମହାରାଜ ଆମ୍ଭମାନଙ୍କ ନିକଟକୁ ଆପଣାର ଅଭିମତ ପ୍ରେରଣ କରନ୍ତୁ।”


