ଦାରୀୟାବସଙ୍କ ଆଦେଶ
1ସେତେବେଳେ ଦାରୀୟାବସ ରାଜା ଆଜ୍ଞା କରନ୍ତେ, ବାବିଲସ୍ଥ ଯେଉଁ ପୁସ୍ତକାଳୟରେ ଧନ ସଞ୍ଚିତ ହେଲା, ତାହା ଅନୁସନ୍ଧାନ କରାଗଲା। 2ପୁଣି, ମାଦୀୟ ପ୍ରଦେଶସ୍ଥ ଅକ୍ଷ୍ମଥା ନାମକ ରାଜଗୃହରେ ଏକ ନଳାକାର ପୁସ୍ତକ ପ୍ରାପ୍ତ ହେଲା, ତହିଁ ମଧ୍ୟରେ ସ୍ମରଣାର୍ଥେ ଏରୂପ ଲେଖା ହୋଇଥିଲା। 3“କୋରସ୍ ରାଜାଙ୍କ ରାଜତ୍ଵର ପ୍ରଥମ ବର୍ଷରେ କୋରସ୍ ରାଜା ଯିରୂଶାଲମସ୍ଥିତ ପରମେଶ୍ୱରଙ୍କ ଗୃହ ବିଷୟରେ ଏହି ଆଜ୍ଞା କଲେ, ଲୋକମାନଙ୍କ ବଳିଦାନ ସ୍ଥାନ ସେହି ଗୃହ ନିର୍ମିତ ହେଉ ଓ ତହିଁର ଭିତ୍ତିମୂଳ ଦୃଢ଼ ରୂପେ ସ୍ଥାପିତ ହେଉ; ତହିଁର ଉଚ୍ଚତା ଷାଠିଏ ହାତ ଓ ତହିଁର ପ୍ରସ୍ଥ ଷାଠିଏ ହାତ ହେଉ; 4ତାହା ତିନି ଧାଡ଼ି ବଡ଼ ବଡ଼ ପ୍ରସ୍ତରରେ ଓ ଏକ ଧାଡ଼ି ନୂତନ କଡ଼ିକାଠରେ ଗୁନ୍ଥାଯାଉ; ଆଉ, ରାଜଗୃହରୁ ତହିଁର ବ୍ୟୟ ଦିଆଯାଉ; 5ଆହୁରି, ପରମେଶ୍ୱରଙ୍କ ଗୃହର ଯେସକଳ ସୁନା ଓ ରୂପାର ପାତ୍ର ନବୂଖଦ୍ନିତ୍ସର ଯିରୂଶାଲମସ୍ଥ ମନ୍ଦିରରୁ ନେଇ ବାବିଲକୁ ଆଣିଥିଲା, ତାହାସବୁ ଫେରାଇ ଦିଆଯାଉ, ପୁଣି ପ୍ରତ୍ୟେକ ପାତ୍ର ପୁନର୍ବାର ଯିରୂଶାଲମସ୍ଥ ମନ୍ଦିରର ସ୍ୱ ସ୍ୱ ସ୍ଥାନକୁ ଅଣାଯାଉ, ଆଉ ତୁମ୍ଭେ ପରମେଶ୍ୱରଙ୍କ ଗୃହରେ ତାହାସବୁ ରଖ।”
6“ଏହେତୁ ହେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ, ହେ ଶଥର-ବୋଷଣୟ, ତୁମ୍ଭେମାନେ ଓ ତୁମ୍ଭମାନଙ୍କ ସଙ୍ଗୀ ନଦୀ ସେପାରିସ୍ଥ ଅଫର୍ସଖୀୟମାନେ, ସେଠାରୁ ଦୂରରେ ଥାଅ; 7ପରମେଶ୍ୱରଙ୍କ ଏହି ଗୃହର କାର୍ଯ୍ୟରେ ହସ୍ତ ଦିଅ ନାହିଁ; ଯିହୁଦୀୟମାନଙ୍କର ଅଧ୍ୟକ୍ଷ ଓ ଯିହୁଦୀୟମାନଙ୍କର ପ୍ରାଚୀନବର୍ଗ ପରମେଶ୍ୱରଙ୍କ ଏହି ଗୃହ ସ୍ୱ ସ୍ଥାନରେ ନିର୍ମାଣ କରନ୍ତୁ। 8ଆହୁରି, ପରମେଶ୍ୱରଙ୍କର ଏହି ଗୃହ ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ଯିହୁଦୀୟ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ଆଜ୍ଞା କରୁଅଛୁ; ସେମାନଙ୍କର ବାଧା ଯେପରି ନ ଜନ୍ମେ, ଏଥିପାଇଁ ସେହି ଲୋକମାନଙ୍କୁ ରାଜସମ୍ପତ୍ତିରୁ, ଅର୍ଥାତ୍, ନଦୀ ସେପାରିସ୍ଥ ରାଜ-କରରୁ ଅତି ଯତ୍ନପୂର୍ବକ ବ୍ୟୟ ଦିଆଯାଉ। 9ପୁଣି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ହୋମବଳି ନିମନ୍ତେ ଯିରୂଶାଲମସ୍ଥ ଯାଜକମାନଙ୍କ ବାକ୍ୟାନୁସାରେ ଯୁବା ବୃଷ ଓ ମେଷ ଓ ମେଷଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହା ଯାହା ସେମାନଙ୍କର ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧାରେ ସେମାନଙ୍କୁ ଦିଆଯାଉ; 10ତହିଁରେ ସେମାନେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ନିମନ୍ତେ ପ୍ରାର୍ଥନା କରିବେ। 11ଆହୁରି ମୁଁ ଆଜ୍ଞା କରୁଅଛି ଯେ, ଯେକେହି ଏହି ବାକ୍ୟ ଅନ୍ୟଥା କରିବ, ତାହାର ଗୃହରୁ ଏକ କଡ଼ି ବାହାର କରାଯାଇ ସେହି କାଷ୍ଠରେ ସେ ବନ୍ଧା ହୋଇ ଟଙ୍ଗାଯାଉ; ପୁଣି, ତହିଁ ଲାଗି ତାହାର ଗୃହ ଖତରାଶି କରାଯାଉ। 12ଆଉ, ଯେଉଁ ଯେଉଁ ରାଜା ଓ ଗୋଷ୍ଠୀୟମାନେ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଏହି ଗୃହ ବିନାଶ କରିବା ଅଭିପ୍ରାୟରେ ଉକ୍ତ ବାକ୍ୟ ଅନ୍ୟଥା କରିବାକୁ ହସ୍ତକ୍ଷେପ କରିବେ, ସେସମସ୍ତଙ୍କୁ ଯିରୂଶାଲମରେ ସ୍ୱନାମ-ସ୍ଥାପନକାରୀ ପରମେଶ୍ୱର ଉଚ୍ଛିନ୍ନ କରନ୍ତୁ। ମୁଁ ଦାରୀୟାବସ ଏହି ଆଜ୍ଞା ଦେଇଅଛି; ଏହା ଅତି ଯତ୍ନପୂର୍ବକ କରାଯାଉ।”


