ନୂତନ ମନ୍ଦିରର ଐଶ୍ୱର୍ଯ୍ୟ

1ସପ୍ତମ ମାସ, ମାସର ଏକବିଂଶ ଦିନରେ ହାଗୟ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 2“ଏବେ ଶଲ୍ଟୀୟେଲଙ୍କ ପୁତ୍ର ଯିହୁଦୀୟ ଦେଶାଧ୍ୟକ୍ଷ ଯିରୁବ୍ବାବିଲ୍‍ଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମହାଯାଜକଙ୍କୁ ଓ ଲୋକମାନଙ୍କର ଅବଶିଷ୍ଟାଂଶକୁ କୁହ,

3‘ଏହି ଗୃହକୁ ତାହାର ପୂର୍ବ ଐଶ୍ୱର୍ଯ୍ୟାବସ୍ଥାରେ ଯେ ଦେଖିଲା,

ତୁମ୍ଭମାନଙ୍କ ମଧ୍ୟରେ ଏପରି ଅବଶିଷ୍ଟ କିଏ ଅଛି?

ତେବେ, ବର୍ତ୍ତମାନ ତୁମ୍ଭେମାନେ ତାହା କି ପ୍ରକାର ଦେଖୁଅଛ?

ତାହା କି ତୁମ୍ଭମାନଙ୍କ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ ନୁହେଁ?

4ତଥାପି ସଦାପ୍ରଭୁ କହନ୍ତି, ହେ ଯିରୁବ୍ବାବିଲ୍‍, ତୁମ୍ଭେ ଏବେ ବଳବାନ ହୁଅ;

ଆଉ, ହେ ଯିହୋଷାଦକର ପୁତ୍ର ଯିହୋଶୂୟ ମହାଯାଜକ, ତୁମ୍ଭେ ବଳବାନ ହୁଅ;

ପୁଣି, ହେ ଦେଶସ୍ଥ ଲୋକ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ

ଓ କାର୍ଯ୍ୟ କର, ଏହା ସଦାପ୍ରଭୁ କହନ୍ତି;

5କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ମିସର ଦେଶରୁ ବାହାରି ଆସିବା ବେଳେ ଓ ଆମ୍ଭ ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଧିଷ୍ଠାନ କରିବା ବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଯେଉଁ ନିୟମ ସ୍ଥିର କଲୁ,

ସେହି ନିୟମର ବାକ୍ୟ ପ୍ରମାଣେ ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ; ତୁମ୍ଭେମାନେ ଭୟ କର ନାହିଁ।

6କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; ଆଉ ଥରେ ଅଳ୍ପ କାଳ ମଧ୍ୟରେ

ଆମ୍ଭେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ଶୁଷ୍କ ଭୂମିକୁ ହଲାଇବା;

7ପୁଣି, ଆମ୍ଭେ ସକଳ ଗୋଷ୍ଠୀଙ୍କୁ ହଲାଇବା, ଆଉ ସମସ୍ତ ଗୋଷ୍ଠୀର ବାଞ୍ଛନୀୟ ବିଷୟସକଳ ଆସିବ,

ପୁଣି ଆମ୍ଭେ ଏହି ଗୃହକୁ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

8ରୂପା ଆମ୍ଭର ଓ ସୁନା ଆମ୍ଭର, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।

9ଏହି ଗୃହର ପୂର୍ବକାଳର ଐଶ୍ୱର୍ଯ୍ୟ ଅପେକ୍ଷା ଶେଷ କାଳର ଐଶ୍ୱର୍ଯ୍ୟ ଅଧିକ ଗୁରୁତର ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି;

ପୁଣି, ଏହି ସ୍ଥାନରେ ଆମ୍ଭେ ଶାନ୍ତି ପ୍ରଦାନ କରିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।’”