ଅଶୁଚି ଲୋକଙ୍କ ନିମନ୍ତେ ଆଶୀର୍ବାଦ
10ଦାରୀୟାବସଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷର ନବମ ମାସର ଚତୁର୍ବିଂଶ ଦିନରେ ହାଗୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, “ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; 11ଏବେ ଯାଜକମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ, 12‘କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯଦି ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିଅବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟ ଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ?’” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ନା।” 13ସେତେବେଳେ ହାଗୟ କହିଲେ, “ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯଦି ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ?” ତହିଁରେ ଯାଜକମାନେ ଉତ୍ତର କରି କହିଲେ, “ତାହା ଅଶୁଚି ହେବ।” 14ତେବେ ହାଗୟ ଉତ୍ତର କରି କହିଲେ, “ସଦାପ୍ରଭୁ କହନ୍ତି, ଆମ୍ଭ ସାକ୍ଷାତରେ ଏହି ଲୋକମାନେ ଓ ଏହି ଗୋଷ୍ଠୀ ତଦ୍ରୂପ ଅଟନ୍ତି ଓ ସେମାନଙ୍କର ହସ୍ତକୃତ ଯାବତୀୟ କର୍ମ ତଦ୍ରୂପ ଅଟେ; ଆଉ, ସେହି ସ୍ଥାନରେ ଯାହା ସେମାନେ ଉତ୍ସର୍ଗ କରନ୍ତି, ତାହା ଅଶୁଚି ଅଟେ।
15ଏବେ ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନର ପୂର୍ବ, ଅର୍ଥାତ୍, ସଦାପ୍ରଭୁଙ୍କ ମନ୍ଦିରରେ ପ୍ରସ୍ତର ଉପରେ ପ୍ରସ୍ତର ସ୍ଥାପିତ ହେବା ପୂର୍ବ ଦିନସକଳ ବିବେଚନା କର; 16ସେହି ସକଳ ସମୟରେ କେହି କୋଡ଼ିଏ ପରିମାଣବିଶିଷ୍ଟ ଶସ୍ୟ ଗଦା ନିକଟକୁ ଆସିଲେ, କେବଳ ତହିଁର ଦଶ ପରିମାଣ ହେଲା; କେହି ଦ୍ରାକ୍ଷାରସ କୁଣ୍ଡରୁ ପଚାଶ ପାତ୍ର ନେବାକୁ ଆସିଲେ, କେବଳ ତହିଁର କୋଡ଼ିଏ ପାତ୍ର ହେଲା।
17ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମ୍ଭମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମ୍ଭମାନଙ୍କୁ ଆଘାତ କଲୁ; ତଥାପି ତୁମ୍ଭେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି। 18ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନ ଓ ତହିଁର ପୂର୍ବ ଦିନଠାରୁ ବିବେଚନା କର, ନବମ ମାସର ଚତୁର୍ବିଂଶ ଦିନରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପନ ଦିନଠାରୁ ବିବେଚନା କର। 19ଅମାରରେ କି ଏପର୍ଯ୍ୟନ୍ତ ଶସ୍ୟ ଅଛି? ଯେପରି ଏପର୍ଯ୍ୟନ୍ତ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷର, ଡାଳିମ୍ବ ଓ ଜୀତବୃକ୍ଷର ଫଳ ଫଳି ନାହିଁ; ମାତ୍ର ଆଜିଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା।”


