ଈଶ୍ବରଙ୍କ ନିକଟବର୍ତ୍ତୀ ହେବା
19ଅତଏବ, ହେ ଭାଇମାନେ, ଯୀଶୁ ବିଚ୍ଛେଦବସ୍ତ୍ର, ଅର୍ଥାତ୍, ଆପଣା ରକ୍ତ ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, 20ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ 21ପୁଣି, ଈଶ୍ବରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ଭମାନଙ୍କର ଜଣେ ମହାଯାଜକ ଥିବାରୁ 22ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ-ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ବରଙ୍କ ନିକଟବର୍ତ୍ତୀ ହେଉ; 23ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ତାହା ଅଟଳ ଭାବରେ ଦୃଢ଼ କରି ଧରୁ, କାରଣ ଯେ ପ୍ରତିଜ୍ଞା କରିଅଛନ୍ତି, ସେ ବିଶ୍ୱସ୍ତ; 24ପୁଣି, ପ୍ରେମ ଓ ସତ୍କ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କରୁ, 25ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ। 26କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛାପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, 27ବରଂ ବିଚାରର ଏକ-ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। 28କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; 29ତେବେ ଭାବି ଦେଖ, ଯେ ଈଶ୍ବରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ଅପବିତ୍ର ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ! 30କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।” 31ଜୀବିତ ଈଶ୍ବରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ। 32କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ; 33ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ। 34କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ। 35ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି।
36ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ। 37ଯେପରି ଶାସ୍ତ୍ରରେ ଲେଖାଅଛି,
“କାରଣ ଆଉ ଅତି ଅଳ୍ପ ସମୟ ମାତ୍ର,
ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ
ଓ ବିଳମ୍ବ କରିବେ ନାହିଁ।”
38ପୁଣି,
“ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ,
କିନ୍ତୁ ଯଦି କେହି ପଶ୍ଚାତ୍ପଦ ହୁଏ,
ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।”
39ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।


