ଇସ୍ରାଏଲର ଅବିଶ୍ୱସ୍ତତାର ଶାସ୍ତି
1ତୁମ୍ଭେମାନେ ଆପଣାମାନଙ୍କର ଭ୍ରାତୃଗଣଙ୍କୁ ଅମ୍ମି
ଓ ଆପଣାମାନଙ୍କର ଭଗିନୀଗଣଙ୍କୁ ରୁହାମା ବୋଲି କୁହ।
2“ତୁମ୍ଭେମାନେ ଆପଣା ମାତା ସହିତ ବାଦାନୁବାଦ କର;
କାରଣ ସେ ଆମ୍ଭର ଭାର୍ଯ୍ୟା ନୁହେଁ, କିଅବା ଆମ୍ଭେ ତାହାର ସ୍ୱାମୀ ନୋହୁଁ;
ସେ ଆପଣା ଦୃଷ୍ଟିରୁ ଆପଣା ବେଶ୍ୟାଚାର
ଓ ଆପଣା ସ୍ତନଦ୍ୱୟର ମଧ୍ୟରୁ ବ୍ୟଭିଚାର ଦୂର କରୁ;
3ନୋହିଲେ ଅବା ଆମ୍ଭେ ତାହାକୁ ବିବସ୍ତ୍ରା କରିବା
ଓ ସେ ଜନ୍ମ ଦିନରେ ଯେରୂପ ଥିଲା, ସେରୂପ କରି ତାହାକୁ ରଖିବା;
ପୁଣି, ତାହାକୁ ପ୍ରାନ୍ତରର ତୁଲ୍ୟ କରିବା
ଓ ମରୁଭୂମି ତୁଲ୍ୟ କରି ତୃଷାରେ ତାହାକୁ ବଧ କରିବା;
4ଆହୁରି, ଆମ୍ଭେ ତାହାର ସନ୍ତାନଗଣ ପ୍ରତି ଦୟା କରିବା ନାହିଁ,
କାରଣ ସେମାନେ ବେଶ୍ୟାଚାରରୁ ଜାତ ସନ୍ତାନ।
5ଯେହେତୁ ସେମାନଙ୍କର ମାତା ବେଶ୍ୟାବୃତ୍ତି କରିଅଛି;
ସେମାନଙ୍କର ଗର୍ଭଧାରିଣୀ ଲଜ୍ଜାକର କର୍ମ କରିଅଛି;
କାରଣ ସେ କହିଲା, ‘ମୋର ଯେଉଁ ପ୍ରେମିକଗଣ ମୋତେ ଅନ୍ନ, ଜଳ,
ମେଷଲୋମ, ମସିନା ବସ୍ତ୍ର, ତୈଳ ଓ ମୋର ପେୟଦ୍ରବ୍ୟ ମୋତେ ଦିଅନ୍ତି,
ମୁଁ ସେମାନଙ୍କର ପଛେ ପଛେ ଯିବି।’
6ଏଥିପାଇଁ ଦେଖ, ଆମ୍ଭେ କଣ୍ଟା ଦ୍ୱାରା ତୁମ୍ଭର ପଥ ରୁଦ୍ଧ କରିବା
ଓ ଆମ୍ଭେ ତାହାର ବିରୁଦ୍ଧରେ ବାଡ଼ ବାନ୍ଧିବା,
ତହିଁରେ ସେ ଆପଣା ପଥ ପାଇବ ନାହିଁ।
7ପୁଣି, ସେ ଆପଣା ପ୍ରେମିକଗଣର ପଛେ ପଛେ ଯିବ,
ମାତ୍ର ସେ ସେମାନଙ୍କର ସଙ୍ଗ ଧରିବ ନାହିଁ
ଓ ସେ ସେମାନଙ୍କର ଅନ୍ଵେଷଣ କରିବ, ମାତ୍ର ଉଦ୍ଦେଶ୍ୟ ପାଇବ ନାହିଁ;
ତହୁଁ ସେ କହିବ, ‘ମୁଁ ଫେରି ଆପଣା ପ୍ରଥମ ସ୍ୱାମୀ ନିକଟକୁ ଯିବି;
କାରଣ ବର୍ତ୍ତମାନ ଅପେକ୍ଷା ସେତେବେଳେ ମୋର ମଙ୍ଗଳ ଥିଲା।’
8ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ
ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ,
ସେମାନେ ସେହି ରୂପା, ସୁନା ବାଲ୍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ।
9ଏଥିପାଇଁ ଆମ୍ଭେ ଶସ୍ୟ ସମୟରେ ଆମ୍ଭର ଶସ୍ୟ
ଓ ଦ୍ରାକ୍ଷାରସର ଋତୁରେ ଆମ୍ଭର ଦ୍ରାକ୍ଷାରସ ଫେରାଇ ନେବା,
ଯାହା ଦ୍ୱାରା ତାହାର ଉଲଙ୍ଗତା ଆଚ୍ଛାଦିତ ହୁଅନ୍ତା,
ଆମ୍ଭର ସେହି ମେଷଲୋମ ଓ ମସିନା ଛଡ଼ାଇ ନେବା।
10ପୁଣି, ଏବେ ଆମ୍ଭେ ତାହାର ପ୍ରେମିକଗଣର ସାକ୍ଷାତରେ ତାହାର ଭ୍ରଷ୍ଟତା ପ୍ରକାଶ କରିବା
ଓ ଆମ୍ଭ ହସ୍ତରୁ କେହି ତାହାକୁ ଉଦ୍ଧାର କରିବେ ନାହିଁ।
11ଆହୁରି, ଆମ୍ଭେ ତାହାର ସକଳ ଆମୋଦ, ତାହାର ଉତ୍ସବ,
ଅମାବାସ୍ୟା, ବିଶ୍ରାମ ଦିନ ଓ ତାହାର ମହାସଭା ସକଳ ବନ୍ଦ କରିବା।
12ଆଉ, ସେ ଆପଣାର ଯେଉଁ ଦ୍ରାକ୍ଷାଲତା ଓ ଡିମ୍ବିରିବୃକ୍ଷ ବିଷୟରେ କହିଥିଲା
ଏହିସବୁ ମୋର ପ୍ରେମିକଗଣ ମୋର ବେତନ ସ୍ୱରୂପେ ମୋତେ ଦେଇଅଛନ୍ତି,
ସେହି ସବୁ ଆମ୍ଭେ ଉଜାଡ଼ କରିବା; ଆଉ, ଆମ୍ଭେ ସେହି ସବୁକୁ ଅରଣ୍ୟ କରିବା,
ତହିଁରେ ବନ୍ୟ ପଶୁଗଣ ତାହା ଖାଇ ପକାଇବେ।
13ପୁଣି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ସେ ଧୂପ ଜ୍ୱଳାଇଲା,
ସେହି ବାଲ୍ ଦେବଗଣର (ପ୍ରତିଷ୍ଠିତ) ଦିନସମୂହର ପ୍ରତିଫଳ ଆମ୍ଭେ ତାହାକୁ ଭୋଗ କରାଇବା;
ସେହି ସମୟରେ ସେ କର୍ଣ୍ଣକୁଣ୍ଡଳ ଓ ଅଳଙ୍କାର ଇତ୍ୟାଦିରେ ଆପଣାକୁ ଭୂଷିତା କରି
ଆପଣା ପ୍ରେମିକଗଣର ପଛେ ପଛେ ଗଲା ଓ ଆମ୍ଭକୁ ଭୁଲିଲା, ଏହା ସଦାପ୍ରଭୁ କହନ୍ତି।


