ଇସ୍ରାଏଲ ପ୍ରତି ଈଶ୍ୱରଙ୍କ ପ୍ରେମ
14ଏଥିନିମନ୍ତେ ଦେଖ, ଆମ୍ଭେ ତାହାର ମନକୁ ଆକର୍ଷଣ କରି
ତାହାକୁ ପ୍ରାନ୍ତରକୁ ଆଣିବା ଓ ତାହାକୁ ଚିତ୍ତ ପ୍ରବୋଧକ କଥା କହିବା।
15ପୁଣି, ସେହି ସ୍ଥାନରୁ ଆମ୍ଭେ ତାହାକୁ ତାହାର ଦ୍ରାକ୍ଷାକ୍ଷେତ୍ର
ଓ ଭରସାରୂପ ଦ୍ୱାର ନିମନ୍ତେ ଆଖୋର୍ ଉପତ୍ୟକା ଦେବା;
ପୁଣି, ସେ ଯେପରି ଆପଣା ଯୌବନ କାଳରେ
ଓ ମିସର ଦେଶରୁ ଆସିବା ଦିନରେ ଉତ୍ତର କରିଥିଲା,
ସେପରି ସେହି ସ୍ଥାନରେ ଉତ୍ତର କରିବ।
16ଆଉ, ସଦାପ୍ରଭୁ କହନ୍ତି,
ସେହି ଦିନ ତୁମ୍ଭେ ଆମ୍ଭକୁ ‘ଈଶୀ’ (ଆମ୍ଭର ସ୍ୱାମୀ) ବୋଲି ଡାକିବ
ଓ ‘ବାଲୀ’ (କର୍ତ୍ତା) ବୋଲି ଆଉ ଡାକିବ ନାହିଁ।
17କାରଣ ଆମ୍ଭେ ତାହାର ମୁଖରୁ ବାଲ୍ ଦେବଗଣର ନାମସବୁ ଦୂର କରିବା,
ପୁଣି ସେହି ନାମସବୁ ପୁନର୍ବାର ଧରାଯିବ ନାହିଁ।
18ଆଉ, ସେହି ଦିନ ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ବନ୍ୟ ପଶୁ
ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା
ଓ ଆମ୍ଭେ ଦେଶରୁ ଧନୁ, ଖଡ୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା,
ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା।
19ପୁଣି, ଆମ୍ଭେ ଚିରକାଳ ନିମନ୍ତେ ଆମ୍ଭ ପାଇଁ ତୁମ୍ଭକୁ ବାଗ୍ଦାନ କରିବା;
ହଁ, ଆମ୍ଭେ ତୁମ୍ଭକୁ ଧର୍ମରେ, ନ୍ୟାୟ-ବିଚାରରେ,
ସ୍ନେହପୂର୍ଣ୍ଣ କରୁଣାରେ ଓ ଦୟାରେ ଆମ୍ଭ ପାଇଁ ବାଗ୍ଦାନ କରିବା।
20ଆମ୍ଭେ ତୁମ୍ଭକୁ ବିଶ୍ୱସ୍ତତାରେ ଆମ୍ଭ ପାଇଁ ବାଗ୍ଦାନ କରିବା;
ତହିଁରେ ତୁମ୍ଭେ ସଦାପ୍ରଭୁଙ୍କୁ ଜ୍ଞାତ ହେବ।
21ଆହୁରି, ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ଉତ୍ତର ଦେବା,
ଆମ୍ଭେ ଆକାଶମଣ୍ଡଳକୁ ଉତ୍ତର ଦେବା ଓ ଆକାଶମଣ୍ଡଳ ପୃଥିବୀକୁ ଉତ୍ତର ଦେବ;
22ପୁଣି, ପୃଥିବୀ ଶସ୍ୟକୁ, ଦ୍ରାକ୍ଷାରସକୁ ଓ ତୈଳକୁ ଉତ୍ତର ଦେବ;
ଆଉ, ସେହି ସମସ୍ତେ ଯିଷ୍ରିୟେଲକୁ ଉତ୍ତର ଦେବେ;
23ପୁଣି, ଆମ୍ଭେ ଆପଣା ପାଇଁ ତାହାକୁ ଦେଶରେ ରୋପଣ କରିବା;
ତହିଁରେ ଯେ ଦୟା ପାଇ ନ ଥିଲା, ତାହା ପ୍ରତି ଆମ୍ଭେ ଦୟା କରିବା;
ଆଉ, ଯେଉଁମାନେ ଆମ୍ଭର ଲୋକ ନ ଥିଲେ, ସେମାନଙ୍କୁ ଆମ୍ଭେ କହିବା,
ତୁମ୍ଭେ ଆମ୍ଭର ଲୋକ ଓ ସେମାନେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”


