ଯିହୁଦା ଓ ଇସ୍ରାଏଲର ମିଥ୍ୟା ଅନୁତାପ

1“ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରିଯାଉ;

କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ଓ ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ;

ସେ ପ୍ରହାର କରିଅଛନ୍ତି ଓ ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।

2ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ;

ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଓ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।

3ପୁଣି, ଆମ୍ଭେମାନେ ଜ୍ଞାତ ହେଉ,

ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍‍ଗମନ କରୁ;

ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ;

ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ,

ଭୂମି-ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।”

4ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା?

ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା?

କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃକାଳୀନ ମେଘ ତୁଲ୍ୟ

ଓ ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।

5ଏଥିପାଇଁ ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଚ୍ଛେଦନ କରିଅଛୁ;

ଆମ୍ଭେ ଆପଣା ମୁଖନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ

ଓ ତୁମ୍ଭର ଦଣ୍ଡାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ।

6କାରଣ ବଳିଦାନ ନୁହେଁ, ମାତ୍ର ଦୟା

ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।

7ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି;

ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସଘାତକତା କରିଅଛନ୍ତି।

8ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।

9ପୁଣି, ଡକାୟତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି,

ସେପରି ଯାଜକ ଦଳ ଶିଖିମ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି;

ହଁ, ସେମାନେ ଭ୍ରଷ୍ଟାଚରଣ କରିଅଛନ୍ତି।

10ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ,

ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି।

11ଆହୁରି ହେ ଯିହୁଦା,

ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବା,

ସେତେବେଳେ ତୁମ୍ଭ ପାଇଁ (ଦଣ୍ଡରୂପ) ଶସ୍ୟଚ୍ଛେଦନ ସମୟ ନିରୂପିତ ଅଛି।

1ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ,

ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ;

କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି

ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାୟତ ଦଳ ବାହାରେ ଲୁଟ କରନ୍ତି।

2ପୁଣି, ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ,

ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ;

ଏବେ ସେମାନଙ୍କର ନିଜ କାର୍ଯ୍ୟସବୁ ସେମାନଙ୍କୁ ଘେରିଅଛି;

ସେହି ସବୁ ଆମ୍ଭ ସମ୍ମୁଖରେ ଅଛି।

3ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ୱାରା ରାଜାକୁ

ଓ ଆପଣାମାନଙ୍କ ମିଥ୍ୟା ଦ୍ୱାରା ଅଧିପତିମାନଙ୍କୁ ଆନନ୍ଦିତ କରନ୍ତି।

4ସେମାନେ ସମସ୍ତେ ବ୍ୟଭିଚାରୀ;

ସେମାନେ ରୁଟି ପ୍ରସ୍ତୁତକାରୀ ଦ୍ୱାରା ଉତ୍ତପ୍ତ ତନ୍ଦୁର ସ୍ୱରୂପ;

ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ

ସେ ଅଗ୍ନି ପ୍ରଜ୍ୱଳିତ କରିବାରୁ ନିବୃତ୍ତ ହୁଏ।

5ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ

ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ;

ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା।

6କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତନ୍ଦୁର ପରି ପ୍ରସ୍ତୁତ କରିଅଛନ୍ତି;

ସେମାନଙ୍କର କ୍ରୋଧ ରାତ୍ରିସାରା କୁହୁଳୁ ଥାଏ;

ପ୍ରାତଃକାଳରେ ତାହା ପ୍ରଜ୍ୱଳିତ ଅଗ୍ନି ପରି ଜ୍ୱଳଇ।

7ସେମାନେ ସମସ୍ତେ ତନ୍ଦୁର ପରି ଉତ୍ତପ୍ତ ଅଟନ୍ତି

ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି;

ସେମାନଙ୍କର ସମସ୍ତ ରାଜାଗଣ ପତିତ ହୋଇଅଛନ୍ତି;

ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ।

8ଗୋଷ୍ଠୀଗଣ ମଧ୍ୟରେ ଇଫ୍ରୟିମ ଆପେ ମିଶ୍ରିତ ହୁଅଇ;

ଇଫ୍ରୟିମ ଓଲଟା ହୋଇ ନ ଥିବା ପିଠା ତୁଲ୍ୟ।

9ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ;

ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ୱକେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ।

10ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ;

ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ନିକଟକୁ ଫେରି ନାହାନ୍ତି,

କିଅବା ଏହିସବୁ ଘଟିଲେ ମଧ୍ୟ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି।

11ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ;

ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି।

12ଯେତେବେଳେ ସେମାନେ ଯିବେ,

ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା;

ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା;

ସେମାନଙ୍କ ସମାଜ ଯେପରି ଶୁଣିଅଛନ୍ତି, ସେହିପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା।

13ସେମାନେ ସନ୍ତାପର ପାତ୍ର!

କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି;

ସେମାନଙ୍କର ସର୍ବନାଶ ଘଟିବ;

କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି;

ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ମଧ୍ୟ

ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି।

14ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି;

ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି;

ସେମାନେ ଶସ୍ୟ ଓ ଦ୍ରାକ୍ଷାରସ ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି,

ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି।

15ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ମଧ୍ୟ

ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି।

16ସେମାନେ ଫେରି ଆସନ୍ତି ସତ୍ୟ, ମାତ୍ର ଊର୍ଦ୍ଧ୍ୱସ୍ଥଙ୍କ ପ୍ରତି ନୁହେଁ;

ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ;

ସେମାନଙ୍କ ଅଧିପତିମାନେ ଆପଣା ଆପଣା

ଜିହ୍ୱାର ପ୍ରଚଣ୍ଡତା ସକାଶୁ ଖଡ୍ଗ ଦ୍ୱାରା ପତିତ ହେବେ;

ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ।